ଚଞ୍ଚକତା କରି ବ୍ୟାଙ୍କରୁ ଟଙ୍କା ଉଠାଣ: ଠକ ଇଞ୍ଜିନିୟର ଯୁବକ ଗିରଫ; ୫ ମୋବାଇଲ, ୩ ଫିଙ୍ଗର ପ୍ରିଣ୍ଟ ମେଶିିନ ସମେତ ବିଭିନ୍ନ ସାମଗ୍ରୀ ଜବତ

ବାସୁଦେବପୁର, ୧୦ା୧୨(ଡି.ଏନ୍‌.ଏ.)- ଆଧୁନିକ ପ୍ରଯୁକ୍ତି କୌଶଳ ଜରିଆରେ ଜାଲିଆତି ଓ ଚଞ୍ଚକତା କରି ଭଦ୍ରକ ଓ କଟକର ଦୁଇ ବ୍ୟାଙ୍କରୁ ୧.୭୫ ଲକ୍ଷ ଟଙ୍କା ଉଠାଇ ନେବା ଘଟଣାରେ ପୋଲିସ ତଦନ୍ତ କରି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଗୁଆଗଡ଼ିଆ ଗ୍ରାମର ସୌମ୍ୟରଞ୍ଜନ ଦାସ(୨୫) ନାମକ ଜଣେ ଠକ ଇଞ୍ଜିନିୟର ଯୁବକଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୫ଟି ମୋବାଇଲ, ୩ଟି ଫିଙ୍ଗରପ୍ରିଣ୍ଟ ମେଶିନ, ଗୋଟିଏ ଟଙ୍କା ସ୍ବାଇପ୍‌ ମେଶିିନ, ଗୋଟିଏ ଲାପ୍‌ଟପ୍‌, ଗୋଟିଏ ପ୍ରିଣ୍ଟର, ୨ଟି ଏଟିଏମ୍‌, ୨ଟି ଆଧାର, ଗୋଟିଏ ପାନକାର୍ଡ଼, ଗୋଟିଏ ବ୍ୟାଙ୍କ ପାସ୍‌ବହି ଭଳି କେତେକ ସାମଗ୍ରୀ ଜବତ ହୋଇଛି। ମଙ୍ଗଳବାର ତାଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ବାସୁଦେବପୁର ଥାନା ଆଇଆଇସି ମଧୁମିତା ମହାନ୍ତି ଏହି ସୂଚନା ଦେଇ କହିଛନ୍ତି, ଅଭିଯୁକ୍ତ ସୌମ୍ୟରଞ୍ଜନ ସେହି ଗ୍ରାମର ଆର୍ଯ୍ୟପ୍ରକାଶ ସାହୁ ନାମକ ଜଣେ ଯୁବକଙ୍କ ନାମରେ ଜାଲ କାଗଜପତ୍ର ପ୍ରସ୍ତୁତ କରି ଭଦ୍ରକ ଓ କଟକର ଦୁଇ ବ୍ୟାଙ୍କରୁ ଏହି ଟଙ୍କା ଉଠାନେଇଥିଲେ। ଠକାମିର ଶିକାର ହୋଇଥିବା ଯୁବକ ଆର୍ଯ୍ୟପ୍ରକାଶଙ୍କ ଅଭିଯୋଗକ୍ରମେ ବାସୁଦେବପୁର ପୋଲିସ ଦଫା ୪୬୭, ୪୬୮, ୪୭୧, ୪୧୭, ୨୯୪, ୫୦୬, ୩୪ ଆଇପିସି ବଳରେ ଏକ ମାମଲା(ନଂ ୩୭୧/୧୯) ରୁଜୁକରି ତଦନ୍ତ ଚଳାଇଥିଲା। ଗିରଫ ସୌମ୍ୟରଞ୍ଜନ ଗୁଆଗଡ଼ିଆ ଗ୍ରାମରେ ଆଧାର ସଂଶୋଧନ ସହ ଆଧାରକାର୍ଡ ପ୍ରସ୍ତୁତି କାର୍ଯ୍ୟ କରୁଥିଲେ। କେତେକ ବ୍ୟକ୍ତିଙ୍କର ଫିଙ୍ଗରପ୍ରିଣ୍ଟ ସଂଗ୍ରହ କରି ସେମାନଙ୍କ ନାମରେ ଚଞ୍ଚକତା ପୂର୍ବକ କେତେକ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ। ଗୁଆଗଡ଼ିଆ ଗ୍ରାମର ଆର୍ଯ୍ୟପ୍ରକାଶଙ୍କ ଅଜାଣତରେ ଠକ ଯୁବକ ଭଦ୍ରକର ଏକ ଶାଖାରୁ ତା୧୮ା୧୧ା୧୯ ରିଖରେ ୭୫ ହଜାର ଟଙ୍କା ଓ ୨୦୧୮ ରେ କଟକର ଏକ ବ୍ୟାଙ୍କ କଟକ ଶାଖାରୁ ୧ ଲକ୍ଷ ଟଙ୍କା ଉଠାଇ ଥିବା ତଦନ୍ତରୁ ଜଣାପଡ଼ିଛି। ଭଦ୍ରକସ୍ଥିତ ବ୍ୟାଙ୍କରୁ ଟଙ୍କା ଉଠାଣ ସମ୍ପର୍କରେ ଆର୍ଯ୍ୟପ୍ରକାଶଙ୍କ ନିକଟକୁ ଚିଠି ଆସିବା ପରେ ଠକେଇ ହୋଇଥିବା ଜାଣି ସେ ଏ ବାବଦରେ ଥାନାରେ ଏତଲା ଦେଇଥିଲେ। ପୋଲିସ ଅଭିଯୁକ୍ତଙ୍କ ଧରିବା ସହ ତାଙ୍କ ବାପାଙ୍କୁ ଥାନାକୁ ଡକାଇ ପଚରାଉଚରା କରି ଛାଡ଼ି ଦେଇଛି। ଏଭଳି ଠକେଇ ଘଟଣାରେ କେତେକ ବ୍ୟାଙ୍କ କର୍ମଚାରୀ ଓ ଅନ୍ୟମାନଙ୍କ ସମ୍ପୃକ୍ତ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।