ଚଡ଼କମେଳା ହେବା ନେଇ ଅନିଶ୍ଚିତତା

ଭୋଗରାଇ, ୧୬।୩(ଡି.ଏନ.ଏ.)-ଚୈତ୍ର ମାସ ହେଉଛି ଶିବଙ୍କ ବିବାହ ମାସ। ଏହି ମାସରେ ଶିବଙ୍କୁ ଆରାଧନା କଲେ ମହାପୁଣ୍ୟ ମିଳିଥାଏ ବୋଲି କୁହାଯାଏ। ଏଥିନିମନ୍ତେ ବାଲେଶ୍ୱର ଜିଲା ଭୋଗରାଇର ବିଭିନ୍ନ ଶିବ ମନ୍ଦିରରେ ସୋମବାର ମହିଳାଙ୍କ ପ୍ରବଳ ଭିଡ଼ ହୋଇଥିଲା। ହେଲେ ମନ୍ଦିରଗୁଡିକରେ ଶ୍ରଦ୍ଧାଳୁଙ୍କ ଗହଳି ପ୍ରଶାସନକୁ ଚିନ୍ତାରେ ପକାଇଥିଲା। ଭକ୍ତମାନଙ୍କ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଥିଲା। ଅପରପକ୍ଷରେ କରୋନା ଲାଗି ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ଚନ୍ଦନେଶ୍ୱର ଜୀଉଙ୍କ ଚୈତ୍ର ଚଡ଼କମେଳା ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଆସନ୍ତା ୨୧ତାରିଖରେ ଚନ୍ଦନେଶ୍ୱର ମହାଦେବଙ୍କ ଶୈବପୀଠ ପରିସରରେ ଜିଲା ପ୍ରଶାସନ, ଟ୍ରଷ୍ଟ ବୋର୍ଡ଼, ସେବାୟତ ଓ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କୁ ନେଇ ଚଡ଼କମେଳା ସଂକ୍ରାନ୍ତୀୟ ବୈଠକ ହୋଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।