ଚଢ଼ାଦରରେ କିଣୁଛନ୍ତି ୬୦.୯% ଭାରତୀୟ

ନୂଆଦିଲ୍ଲୀ, ୩୧ା୩(ଆଇଏଏନ୍‌ଏସ୍‌): କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଅସାଧୁ ବ୍ୟବସାୟୀମାନେ ଅଚଳାବସ୍ଥାର ସୁଯୋଗ ନେଇ କଳାବଜାର କରିବାରେ ଲାଗିଛନ୍ତି। ଏଥିଯୋଗୁ ୬୦.୯% ଭାରତୀୟ ନିଜ ପାଇଁ ଚଢ଼ା ଦରରେ ଜରୁରୀ ସାମଗ୍ରୀ କିଣିବାକୁ ବାଧ୍ୟ ହେଉଥିବା ଏକ ସଦ୍ୟ ସର୍ବେକ୍ଷଣ ରିପୋର୍ଟରେ ପ୍ରଘଟ ହୋଇଛି।
ଭାରତରେ ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରିରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଇଏଏନ୍‌ଏସ୍‌ ସି-ଭୋଟର କରେନା ଟ୍ରାକର ପକ୍ଷରୁ ୨୬ ଓ ୨୭ ତାରିଖରେ ଦେଶବ୍ୟାପୀ ଏକ ସର୍ଭେ କରାଯାଇଥିଲା। ‘ଆପଣ ଜରୁରୀ ସାମଗ୍ରୀଗୁଡ଼ିକ ଅଧିକ ମୂଲ୍ୟ ଦେଇ କିଣୁଛନ୍ତି କି’ ବୋଲି ଏଥିରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ୬୦.୯% ଲୋକ ଚଢ଼ା ଦରରେ ସାମଗ୍ରୀ କିଣୁଥିବା ଉତ୍ତର ଦେଇଥିଲେ। ୨୮.୭% ଲୋକ ଏଥିସହ ଅସହମତି ପ୍ରକାଶ କରିଥିବାବେଳେ ଅବଶିଷ୍ଟ କୌଣସି ଉତ୍ତର ନ ଦେବାକୁ ପସନ୍ଦ କରିଥିଲେ।
ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାର ହେବା ଓ ଚାହିଦା ତୁଳନାରେ ଯୋଗାଣ ହୋଇ ନ ପାରିବା ଦେଶରେ ବିଚିତ୍ର ସ୍ଥିତି ସୃଷ୍ଟି କରିଛି। ଏଥିଯୋଗୁ ଦରଦାମ ଆକାଶଛୁଆଁ ହୋଇଥିବାରୁ ବିଭିନ୍ନ ସ୍ଥାନରେ ଏହାର ଅଭାବ ଦେଖାଦେଲାଣି। ଏପରି କି ଗ୍ରସେରି ଆଇଟମ୍‌ ଓ ମେଡିସିନ୍‌ର ମୂଲ୍ୟ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍‌ଡାଉନ୍‌ ଘୋଷଣା ପରେ ବଢ଼ିଯାଇଛି। ଅଧିକାଂଶ ଦୋକାନବଜାର ବନ୍ଦ ରହିଥିବାବେଳେ କେତେକ ସ୍ଥାନରେ ପଛଦ୍ୱାରରୁ କିଣାବିକା ଚାଲିଥିବା ନଜରକୁ ଆସିଛି। ଏପରି ସ୍ଥଳେ ଜରୁରୀ ଜିନିଷକୁ ବାଦ୍‌ ଦେଲେ ଅନ୍ୟ ପଣ୍ୟ ସାମଗ୍ରୀର କାରବାର ଉପରେ ଜାରି ହୋଇଥିବା କଟକଣାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯିବ ତାହା ଏକ ବଡ଼ ଚ୍ୟାଲେଞ୍ଜରେ ପରିଣତ ହୋଇଛି। ସରକାର ଜରୁରୀ ସାମଗ୍ରୀର ଅଭାବ ରହିବ ନାହିଁ ବୋଲି ଦେଶବାସୀଙ୍କୁ ଆଶ୍ୱାସନା ଦେଉଥିବାବେଳେ ଏହାର କୃତ୍ରିମ ଅଭାବ ଆଗକୁ ବିଚିତ୍ର ସ୍ଥିତି ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

Share