ଚଢେଇଗୁଡି ଯୋଗାଶ୍ରମ ଭାଙ୍ଗିଲା ଦନ୍ତା

ସୋନପୁର,୩୧।୧୨(ନି.ପ୍ର.)
ସୁବର୍ଣ୍ଣପୁର ବନଖଣ୍ଡର ଉଲୁଣ୍ଡା ବନାଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି। ହାତୀପଲ ଦୀର୍ଘଦିନ ଧରି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଉଛନ୍ତି। ଗୋଟିଏ ପଲରେ ୧୮ଟି, ଅନ୍ୟଟିରେ ୩ଟି ଓ ଗୋଟିଏ ଦନ୍ତା ଏକୁଟିଆ ବିଭିନ୍ନ ସ୍ଥାନରେ ଘୁରି ବୁଲୁଛନ୍ତି। ସନ୍ଧ୍ୟା ହେଲେ ହାତୀପଲ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମକୁ ଆସି ଫସଲ ଓ ସମ୍ପତ୍ତି ନଷ୍ଟ କରୁଛନ୍ତି। ବନ ବିଭାଗ ହାତୀ ଘଉଡାଇବା ପାଇଁ ଉଦ୍ୟମ କରି ଫେଲ ମାରୁଛି। ଏଥିପାଇଁ ଅଞ୍ଚଳବାସୀ ଅତିଷ୍ଠ ହେଲେଣି। ଗତ ୩ ଦିନ ହେଲା ଗୋଟିଏ ଦନ୍ତା ଚଢେଇଗୁଡିସ୍ଥିତ ଅରବିନ୍ଦ ଯୋଗାଶ୍ରମକୁ ଆସି ବ୍ୟାପକ କ୍ଷତି କଲାଣି। ରବିବାର ରାତିରେ ଏହି ଦନ୍ତା ଆଶ୍ରମର ଷ୍ଟୋରରୁମ୍‌, ଲୁହା ଗେଟ୍‌, ବାଇକ୍‌, ସୋଲାର ଫ୍ଲେଟ୍‌ ଓ ଘରର କାନ୍ଥ ଭାଙ୍ଗି ଦେଇଛି। ସୋମବାର ରାତିରେ ଦନ୍ତା ପୁଣି ଆଶ୍ରମରେ ପ୍ରବେଶ କରିଛି। ଆଶ୍ରମର ଅନ୍ତେବାସୀ ଭୟଭୀତ ଅବସ୍ଥାରେ ଛାତ ଉପରେ ଆଶ୍ରୟ ନେଇଛନ୍ତି। ସେହିପରି ଅନ୍ୟ ଏକ ଦଳ ଜଉଁରାଭଉଁରା ପଞ୍ଚାୟତର ଗୁଜା ପ୍ରାଇମେରୀ ସ୍କୁଲ, ବଡମାଳ ସ୍କୁଲ ଓ ପଣ୍ଡକିଟାଲ ସ୍କୁଲରେ କ୍ଷତି କରିଥିବା ଜଣାପଡିଛି। ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଚାଉଳ ହାତୀ ଖାଇ ଦେଉଥିବା ଅଭିଯୋଗ ହୋଇଛି। ସୋମବାର ହାତୀପଲକୁ ରେଢାଖୋଲ ପଟକୁ ଘଉଡାଇବା ପାଇଁ ସହକାରୀ ବନ ସଂରକ୍ଷକ ସୁଶିଲ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ଉଦ୍ୟମ କରିଥିଲେ। ତେବେ ହାତୀ ଆକ୍ରମଣ କରିବାକୁ ଗେଡାଇବାରୁ ସେମାନେ ଫେରି ଆସିଥିବା ଜଣାପଡିଛି ।

Share