ଚଣା, ମୁଗ ଅମଳରେ ବର୍ଷା ବାଧକ

ବୋଲଗଡ଼,୨୭ା୨(ଡି.ଏନ.ଏ.): ଜମିରୁ ଅମଳ ହେବାକୁ ଥିବା ପାଚିଲା ଚଣା ମୁଗ ଫସଲ ପାଇଁ ଅଦିନିଆ ବର୍ଷା ବାଧକ ସାଜିଛି। ଯେଉଁ ଜମିରେ ଆଗୁଆ ମୁଗ ଚଣା ଫସଲ ହୋଇଥିଲା ତାହା ଅମଳ ହେବାକୁ ସମୟ ଆସିଯାଇଛି। ଏହି ସମୟରେ ବର୍ଷା ହେବା ଫଳରେ ଫସଲ ଉପାଡି ଖଳାକୁ ଆଣିବାରେ ଅସୁବିଧା ସୃଷ୍ଟି ହୋଇଛି। ଚଣା ଗଛରୁ ଫଳ ଝଡିଯାଉଥିବା ଦେଖାଯାଇଛି। ଅନ୍ୟପକ୍ଷେ ମେଘୁଆ ପାଗ ସହିତ ବର୍ଷା ଲାଗି ରହିଲେ ସବୁଜ ଥିବା ମୁଗ ଫସଲରେ ରୋଗପୋକ ଆକ୍ରମଣ କରିବା ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଗତ ୭ ତାରିଖରେ ପ୍ରାୟ ୩/୪ଦିନ ଧରି ମେଘୁଆ ପାଗ ସାଙ୍ଗକୁ ବର୍ଷା ହୋଇଥିଲା। ଫଳରେ ଚଣା ଓ ମୁଗ ଫସଲରେ ରୋଗପୋକ ଆକ୍ରମଣ କରିଥିଲେ। ତେଣୁ ଏଭଳି ପାଗ ଲାଗିରହିଲେ ରବିଫସଲ କ୍ଷତିଗ୍ରସ୍ତ ହେବ ବୋଲି ଚାଷୀମାନେ ଚିନ୍ତା ପ୍ରକଟ କଲେଣି। ବୋଲଗଡ ବ୍ଲକରେ ଚଳିତ ବର୍ଷ ପ୍ରାୟ ୭ହଜାର ହେକ୍ଟର ଜମିରେ ଡାଲି ଜାତୀୟ ଫସଲ ହୋଇଛି। ଏଥିରେ ମୁଗ, ବିରି, ଚଣା, ହରଡ ଆଦି ରହିଛି। ଏଠାରେ ରବିଋତୁରେ ନିପାଣିଆ ମୁଗ ଓ ଚଣା ଫସଲ ଶୁଖିଲା ଜମିରେ କରାଯାଇଥାଏ।

Share