ଚଣ୍ଡିମନ୍ଦିର ପରିଚାଳନା ବିଭ୍ରାଟ ନେଇ ବଢୁଛି ଅସନ୍ତୋଷ: କାର୍ଯ୍ୟକାରୀ ହେଉନି ଦେବୋତ୍ତର କମିଶନରଙ୍କ ଆଦେଶ

ଚଣ୍ଡିଖୋଲ,୮ା୮(ଡି.ଏନ.ଏ): ଚଣ୍ଡିଖୋଲର ଚଣ୍ଡିମାତା ମନ୍ଦିର ପରିଚାଳନା କ୍ଷେତ୍ରରେ ଦୀର୍ଘଦିନ ହେବ ବିଭ୍ରାଟ ହେବା ପରେ ଏହାକୁ ନେଇ ଦେବୋତ୍ତର କମିଶନରେ ମାମଲା ରୁଜୁ ହୋଇଥିଲା। କମିଶନର ଏଠାରେ ଗଠିତ ଟ୍ରଷ୍ଟ ବୋର୍ଡକୁ ରଦ୍ଦ କରି ସ୍ଥାୟୀ ପରିଚାଳନା କମିଟି ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ମେ ୨୫ ତାରିଖ କମିଶନର ଦେଇଥିବା ଆଦେଶରେ ନୂଆ ସ୍ଥାୟୀ ଟ୍ରଷ୍ଟ ବୋର୍ଡ ଗଠନ ପର୍ଯ୍ୟନ୍ତ ୩ଜଣିଆ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ଅସ୍ଥାୟୀ ପରିଚାଳନା କମିଟି ମନ୍ଦିର ପରିଚାଳନା କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ। ହେଲେ ୨ମାସ ବିତିଯାଇଥିଲେ ବି କମିଶନରଙ୍କ ନିର୍ଦ୍ଦେଶ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। କମିଶନର ଦେଇଥିବା ରାୟରେ କଟକସ୍ଥିତ ଡିଭିଜୋନାଲ ଏଣ୍ଡୋମେଣ୍ଟ ଇନ୍ସପେକ୍ଟର, ଦର୍ପଣ ଅତିରିକ୍ତ ତହସିଲଦାର ଓ ବଡ଼ଚଣା ଥାନାଧିକାରୀ ଅସ୍ଥାୟୀ ଭାବେ ମନ୍ଦିରର ପରିଚାଳନା କରିବେ ବୋଲି ଉଲ୍ଲେଖ କରିଛନ୍ତି। ସୂଚନା ଥାଉକି, ଅସ୍ଥାୟୀ ପରିଚାଳନା କମିଟିରେ ଥିବା ୩ଜଣ ସରକାରୀ ଅଧିକାରୀ କମିଶନରଙ୍କ ଆଦେଶ ପାଇ ସାରିଥିଲେ ମଧ୍ୟ ଚଣ୍ଡିମାତା ମନ୍ଦିରକୁ ଆସି ବିଧିବଦ୍ଧ ଭାବେ ପରିଚାଳନା ଦାୟିତ୍ୱ ନେଇନାହାନ୍ତି। ଅପରପକ୍ଷେ ପୂର୍ବ ବିବାଦୀୟ ପରିଚାଳନା କମିଟିର ଟ୍ରଷ୍ଟି ମଧ୍ୟ ଦାୟିତ୍ୱ ହସ୍ତାନ୍ତର କରୁ ନ ଥିବା ଦେଖାଯାଇଛି। ଗତ ୪ବର୍ଷ ହେବ ମନ୍ଦିର ପରିଚାଳନାରେ ଘୋର ବିଭ୍ରାଟ ଲାଗି ରହିଥିବାରୁ ମନ୍ଦିର ପରିବେଶ ଓ ଆଧ୍ୟାତ୍ମିକ ଭାବାବେଗ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପରିଚାଳନାଗତ ତ୍ରୁଟି ଯୋଗୁ ଆଶ୍ରମରେ ଥିବା ଗୋରୁ ରୋଗାଗ୍ରସ୍ତ ହୋଇ ମୃତ୍ୟୁବରଣ କରିବା ସହ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଏ ସମସ୍ତ କଥା ଜାଣୁଥିଲେ ମଧ୍ୟ ଦେବୋତ୍ତର ବିଭାଗ ଓ ଜିଲା ପ୍ରଶାସନ ଏହି ପୀଠକୁ ସୁପରିଚାଳନା କରିବା ପାଇଁ ମନୋନିବେଶ ନ କରିବା ହଜାର ହଜାର ଆଶ୍ରମ ପ୍ରେମୀ ଓ ପର୍ଯ୍ୟଟକଙ୍କୁ ବ୍ୟଥିତ କରିଛି। ଗତ ୨ମାସ ତଳୁ ଦେବୋତ୍ତର କମିଶନରଙ୍କ ସ୍ଥାୟୀ ପରିଚାଳନା କମିଟି ଗଠନ ପାଇଁ ନିର୍ଦ୍ଦେଶ ଆସିଥିଲେ ମଧ୍ୟ ଇତିମଧ୍ୟରେ ନିଯୁକ୍ତ ଅସ୍ଥାୟୀ କମିଟିର ଗୋଟିଏ ବି ବୈଠକ ବସି ନ ଥିବା ଜଣାପଡ଼ିଛି। ଯଥାଶୀଘ୍ର କମିଶନରଙ୍କ ଆଦେଶ ଅନୁଯାୟୀ ମନ୍ଦିରର ପରିଚାଳନା ପାଇଁ ସ୍ଥାୟୀ ପରିଚାଳନା କମିଟି ଗଠନର ପ୍ରକ୍ରିୟା ଆରମ୍ଭ କରିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ କମିଟିରେ ଥିବା ବଡ଼ଚଣା ଥାନାଧିକାରୀ ଦୀପକ କୁମାର ଜେନାଙ୍କୁ ପଚାରିବାରୁ, କମିଶନରଙ୍କ ଆଦେଶ ମିଳିଛି। ଦେବୋତ୍ତର ବିଭାଗ ମନ୍ଦିର ପରିଚାଳନା ନେଇ ଯାହା ନିଷ୍ପତ୍ତି ନେବେ ସେଥିରେ ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି।

Share