Categories: ଖେଳ

ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ନେଇ ଆଲୋଚନା

ଲଣ୍ଡନ,୨୫।୧୨(ପି.ଟି.)- ପ୍ରସ୍ତାବିତ ଏକ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଆୟୋଜନ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟରେ ଆଲୋଚନା ଚାଲିଛି। ପ୍ରତିବର୍ଷ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)କୁ ଏକ ମେଜର ଟୁର୍ନାମେଣ୍ଟ ଆୟୋଜନ କରିବାରୁ ରୋକିବା ପାଇଁ ଏହି ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ପ୍ରୟାସ କରାଯାଉଛି ବୋଲି କୁହାଯାଇଛି।
ଏହି ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ବିସିସିଆଇ ପ୍ରସ୍ତାବ ଦେଇଛି। ଏଥିରେ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସମେତ ଏକ ଚତୁର୍ଥ ଦଳ ଅଂଶଗ୍ରହଣ କରିବ। ଏଥିପାଇଁ ଅନ୍ୟ ଦେଶଗୁଡିକର ପ୍ରତିନିଧିଙ୍କ ସହ ଆଲୋଚନା କରାଯାଉଛି ବୋଲି ଇସିବି ତରଫରୁ କୁହାଯାଇଛି। ଡିସେମ୍ବରରେ ଏକ ବୈଠକରେ ବିସିସିଆଇ ତରଫରୁ ଏ ନେଇ ପ୍ରସ୍ତାବ ଦିଆଯାଇଥିଲା। ଏ ନେଇ ଆଇସିସିର ଅନ୍ୟ ସଦସ୍ୟଙ୍କ ସହ ମଧ୍ୟ ଆଲୋଚନା କରାଯାଉଛି। ଏହି ଟୁର୍ନାମେଣ୍ଟକୁ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପାଳି କରି ଆୟୋଜନ କରିବେ। ଏହା ଦ୍ୱାରା ଏହି ତିନୋଟି ଦେଶର ବୋର୍ଡ ମାନେ ପ୍ରଚୁର ଲାଭ ପାଇବେ। ତେଣୁ ଏ ନେଇ ଦୁଇ ପ୍ରକାର ମତ ଦେଖା ଦେଇଛି। ଆଇସିସି ମଧ୍ୟ ୩ରୁ ଅଧିକ ଦେଶକୁ ନେଇ ଖେଳାଯିବାକୁ ଥିବା ଟୁର୍ନାମେଣ୍ଟକୁ ଆୟୋଜନ କରିବାକୁ ଅନୁମତି ଦେଇ ନ ଥାଏ। କାରଣ ଏହା ଆଇସିସି କାର୍ଯ୍ୟସୂଚୀ ସନ୍ତୁଳନରେ ବାଧା ସୃଷ୍ଟି କରିବାର ସମ୍ଭାବନା ରହିଥାଏ।
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହି ଟୁର୍ନାମେଣ୍ଟ ଆୟୋଜନ ନେଇ ନିଜର ମତ ରଖିସାରିଛନ୍ତି। ଇସିବି ମଧ୍ୟ ନିଜର ସମ୍ମତି ପ୍ରକାଶ କରିଥିବା ବେଳେ କ୍ରିକେଟ ଅଷ୍ଟେଲିଆ ଏ ନେଇ ନିଜର ମତ ଦେଇନାହିଁ। ଯଦି ଏହି ଟୁର୍ନାମେଣ୍ଟକୁ ଅନୁମତି ଦିଆଯାଏ ତା’ହେଲେ ଆଇସିସିର ବାର୍ଷିକ କ୍ୟାଲେଣ୍ଡର ଆହୁରି ବ୍ୟସ୍ତବହୁଳ ହେବ ବୋଲି ଅଷ୍ଟ୍ରେଲିଆ ହେଡ କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। ଏହି ଟୁର୍ନାମେଣ୍ଟ ନେଇ ଅନ୍ତିମ ନିଷ୍ପତ୍ତି ନିଆଯାଇଯାଇ ନ ଥିବା ବେଳେ ଆଗାମୀ କିଛି ଦିନ ମଧ୍ୟରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

Share