Categories: ଖେଳ

ଚତୁର୍ଥ ଅନ୍‌ ଅଫିସିଆଲ ଦିନିକିଆ: ବର୍ଷା ଯୋଗୁ ରିଜର୍ଭ ଡେ’କୁ ଖେଳ ଘୁଞ୍ଚିଲା

ଥିରୁଭାନନ୍ତପୁରମ,୫।୯(ପି.ଟି.)- ସ୍ଥାନୀୟ ଗ୍ରୀନ୍‌ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ବୁଧବାର ଭାରତ ଏ’ ଓ ଦକ୍ଷିଣ ଆଫ୍ରିକା ଏ’ ମଧ୍ୟରେ ଖେଳା ଯାଇଥିବା ଚତୁର୍ଥ ଅନ୍‌ ଅଫିସିଆଲ ଦିନିକିଆ ମ୍ୟାଚ୍‌ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ଫଳରେ ଖେଳ ରିଜର୍ଭ ଡେ ଅର୍ଥାତ ଗୁରବାରକୁ ଘୁଞ୍ଚାଇ ଦିଆଯାଇଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ୨୫ ଓଭରରେ ଗୋଟିଏ ଉଇକେଟ ହରାଇ ୧୩୭ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ଓପନର ରେଜା ହେଣ୍ଡ୍ରିକ୍ସ ୬୦, ଉଇକେଟକିପର ବ୍ୟାଟ୍ସମ୍ୟାନ ହେନେରିଚ୍‌ କ୍ଲାସେନ ୨୧ ରନକରି ଅପରାଜିତ ରହିଥିଲେ। ଅନ୍ୟତମ ଓପନର ମାଥ୍ୟୁ ବ୍ରିଜକ ୨୫ ରନ କରି ରାହୁଲ ଚହରଙ୍କ ବଲ୍‌ରେ ତୁଷାର ଦେଶପାଣ୍ଡେଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଅଧିନାୟକ ଟେମ୍ବା ବଭୂମା ୨୮ ରନ କରି ରିଟାୟାର୍ଡ ହର୍ଟ ହୋଇଥିଲେ। ଦକ୍ଷିଣ ଆଫ୍ରିକା ୨୨ ଓଭରରେ ଗୋଟିଏ ଉଇକେଟ ହରାଇ ୧୨୨ ରନ କରିଥିବା ବେଳେ ବର୍ଷା ହୋଇଥିଲା। ଫଳରେ ମ୍ୟାଚ୍‌ ୨୫ ଓଭରକୁ କମାଇ ଦିଆଯାଇଥିଲା। ପୁଣି ଖେଳ ହେବା ପରେ ଦକ୍ଷିଣ ଆଫ୍ରିକା ଅଧିକ ୨୫ ରନ ସଂଗ୍ରହ କରିଥିଲା। ଫଳରେ ଭାରତ ପାଇଁ ୨୫ ଓଭରରେ ୧୯୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।
ଜବାବରେ ବ୍ୟାଟିଂ ଆରମ୍ଭ କରି ଭାରତ ୭.୪ ଓଭରରେ ଗୋଟିଏ ଉଇକେଟ ହରାଇ ୫୬ ରନ କରିଥିବା ବେଳେ ପୁଣି ବର୍ଷା ହୋଇଥିଲା। ମ୍ୟାଚ୍‌ ଗୁରୁବାରକୁ ଘୁଞ୍ଚାଇ ଦିଆଯାଇଥିଲା। ଷ୍ଟମ୍ପ ଅପସାରଣ ବେଳକୁ ଅଭିଜ୍ଞ ଓପନର ଶିଖର ଧାଓ୍ବନ ୨୧ ବଲରୁ ୬ ଚୌକା ସହ ୩୪ ଓ ପ୍ରଶାନ୍ତ ଚୋପ୍ରା ୬ ରନ କରି ଅପରାଜିତ ରହିଥିଲେ। ଶୁବମନ ଗିଲ ୧୨ ରନକରି ଅନରିଜ ନୋର୍ଜଙ୍କ ବଲ୍‌ରେ ମାର୍କୋ ଜାନସେନଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଭାରତ ଏବେ ବିଜୟ ପାଇଁ ୧୭.୨ ଓଭରରେ ଆଉ ୧୩୭ ରନ ଆବଶ୍ୟକ କରୁଛି। ଉଲ୍ଲେଖଥାଉ କି, ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ରେ ପ୍ରଥମ ୩ଟି ମ୍ୟାଚ୍‌ ଜିତି ୩-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ଏହି ମ୍ୟାଚ୍‌ ଜିତିଲେ ଭାରତ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିବ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ଏ’ ୨୫ ଓଭରରେ ୧୩୭/୧
(ରେଜା ହେଣ୍ଡ୍ରିକ୍ସ- ୬୦, ମାଥ୍ୟୁ ବ୍ରିଜକ- ୨୫, ହେନରିଚ୍‌ କ୍ଲାସେନ- ୨୧*, ରାହୁଲ ଚହର- ୧/୧୮ )।
ଭରତ ଏ’ ୭.୪ ଓଭରରେ ୫୬/୧
(ଶିଖର ଧାଓ୍ବନ- ୩୪*, ନୋରଜ୍‌- ୧/୨୬)।

Share