Categories: ଫୁରସତ

ଫ୍ଲାଇଂ ରେଷ୍ଟୁରାଣ୍ଟ

ନୋଏଡା: ୧୬୦ ଫୁଟ୍‌ ଉଚ୍ଚତାରେ ଝୁଲିଛି ରେଷ୍ଟୁରାଷ୍ଟ। ଡାଇନିଂ ଟେବୁଲ ପଡ଼ିଛି। ଜଣେ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ଭଳି ସମସ୍ତ ସୁବିଧା ଦିଆଯାଉଛି। ଆଉ ଫ୍ଲାଇଂ ରେଷ୍ଟୁରାଷ୍ଟରେ ଡିନରର ମଜା ନେବାକୁ ଛୁଟି ଆସୁଛନ୍ତି ଗ୍ରାହକ। ବିଦେଶରେ ନୁହେଁ, ରାଜଧାନୀ ଦିଲ୍ଲୀରେ ଏପରି ଏକ ରେଷ୍ଟୁରାଣ୍ଟକୁ ନେଇ ଏବେ ଚର୍ଚ୍ଚା।
ନୋଏଡାର ସେକ୍ଟର ୩୮ରେ ରହିଥିବା ଏହି ଲୋକପ୍ରିୟ ରେଷ୍ଟୁରାଣ୍ଟର ଖୋଲିବା ସମୟ ସନ୍ଧ୍ୟା ୪ଟାରୁ ରାତି ୧୦ଟା। ଜଣେ ଗ୍ରାହକଙ୍କୁ ଏଠାରେ ମାତ୍ର ୪୦ମିନିଟ୍‌ ବିତାଇବାକୁ ସୁଯୋଗ ମିଳେ। ସବୁଠାରୁ ରୋଚକକଥା, ୨୪ ସିଟ୍‌ ବିଶିଷ୍ଟ ଏହି ରେଷ୍ଟୁରାଷ୍ଟକୁ ଝୁଲାଇ ରଖିବାକୁ କ୍ରେନ୍‌ର ସହାୟତା ନିଆଯାଇଛି। ଗ୍ରାହକଙ୍କୁ ସେବା ଯୋଗାଇ ଦେବାକୁ ଏଠାରେ ଓ୍ବେଟର ଏବଂ ଷ୍ଟାଫ୍‌ ମଧ୍ୟ ଅଛନ୍ତି।
ରେଷ୍ଟୁରାଣ୍ଟ ମାଲିକ ନିଖିଲ କୁମାରଙ୍କ କହିବା କଥା, ଦୁବାଇ ଗସ୍ତରେ ଯାଇଥିବାବେଳେ ତାଙ୍କ ମନକୁ ଏପରି ଝୁଲନ୍ତା ହୋଟେଲ କରିବାର ବୁଦ୍ଧି ଜୁଟିଥିଲା। ଏଥିପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ଗ୍ରାହକଙ୍କ ସୁରକ୍ଷା। ଏହାକୁ ସାକାର ରୂପ ଦେବାକୁ ଦୁଇବର୍ଷ ତଳେ ଜର୍ମାନୀ ବିଶେଷଜ୍ଞଙ୍କ ସହାୟତା ନିଆଯାଇଥିଲା। ଏଠାରେ ଥିବା ସିଟ୍‌ଗୁଡ଼ିକରେ ପରୀକ୍ଷାସିଦ୍ଧ ଲକିଂ ସିଷ୍ଟମ ଲଗାଯାଇଛି। କ୍ରେନ୍‌ ସମେତ ରେଷ୍ଟୁରାଣ୍ଟର ପ୍ରତିଟି ସାମଗ୍ରୀକୁ ଦୈନିକ କଡ଼ା ଯାଞ୍ଚ କରାଯାଏ। ତେବେ ନିରାପତ୍ତା ଦୃଷ୍ଟିରୁ ଗର୍ଭବତୀ ଏବଂ ଶିଶୁଙ୍କୁ ୪ ଫୁଟରୁ ଅଧିକ ଉଚ୍ଚତାରେ ଖାଇବାକୁ ଦେବାକୁ ଅନୁମତି ଦିଆଯାଉ ନ ଥିବା ସେ ସୂଚନା ଦେଇଛନ୍ତି। ଫ୍ଲାଇଂ ରେଷ୍ଟୁରାଣ୍ଟରେ ନିଜର ଜନ୍ମଦିନ ପାଳନ କରିଥିବା ପାରୁଲ ଗୁପ୍ତା କୁହନ୍ତି, ଏପରି ଭୋଜନାଳୟରେ ଖାଇବାର ମଜାନେବା ଯେତିକି ରୋମାଞ୍ଚଭରା ସେତିକି ଆନନ୍ଦଦାୟକ ମଧ୍ୟ। ଏଠାରେ ବିତାଇଥିବା ସମୟ ଜଣଙ୍କ ପାଇଁ ସବୁଦିନ ମନେରହିବ।

Share