ଚତୁର୍ଥ ରାଜ୍ୟସ୍ତରୀୟ ଟେନିସ୍‌ ଭଲିବଲ ଚାମ୍ପିୟନଶିପ୍‌: ଭାଗ ନେଲେ ୧୦ ଜିଲାରୁ ୪୦ ଟିମ୍‌

ସିମୁଳିଆ, ୨୦ା୧୦(ଡି.ଏନ୍‌.ଏ.)-ଚତୁର୍ଥ ରାଜ୍ୟସ୍ତରୀୟ ସବ୍‌ଜୁନିୟର ଓ ଜୁନିୟର ଟେନିସ୍‌ ଭଲିବଲ ଚମ୍ପିୟନଶିପ୍‌-୨୦୧୯ ଶନିବାର ସିମୁଳିଆର ରଘୁନାରାୟଣ ହାଇସ୍କୁଲ ପରିସର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି ା ଦୁଇଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଗଞ୍ଜାମ, ଜଗତସିଂହପୁର, ପୁରୀ, ନୟାଗଡ ଆଦି ୧୦ଟି ଜିଲାରୁ ମୋଟ ୪୦ ଟିମ୍‌ ଅଂଶଗ୍ରହଣ କରିଛନ୍ତି ା ଉଭୟ ବାଳିକା ଓ ବାଳକ ବିଭାଗକୁ ନେଇ ଗଠିତ ସବ୍‌ଜୁନିୟର ଓ ଜୁନିୟର ବିଭାଗରେ ୮୦ଟି ମ୍ୟାଚ୍‌ ଅନୁଷ୍ଠିତ ହେବ ା ରାଜ୍ୟର ବିଭିନ୍ନ ଅଞ୍ଚଳର ମୋଟ ୨୫ଜଣ ରେଫରୀ ମ୍ୟାଚ୍‌ ପରିଚାଳନା ଦାୟିତ୍ୱରେ ଅଛନ୍ତି ା ରଘୁନାରାୟଣ ହାଇସ୍କୁଲର କ୍ରୀଡା ଶିକ୍ଷକ ତଥା ଟେକ୍ନିକାଲ କମିଟି ଅଧ୍ୟକ୍ଷ ବିଭୁଦତ୍ତ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ ବାଲେଶ୍ୱର ସହିତ ନୟାଗଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ା ଉଦ୍‌ଘାଟନୀ ଉତ୍ସବରେ ଅତିଥି ରୂପେ ରଘୁନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୋହନ ଚରଣ ଖିଲାର କ୍ରୀଡା ପତାକା ଉତ୍ତୋଳନ କରି ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଟେନିସ୍‌ ଭଲିବଲ ଆସୋସିଏଶନର ଯୁଗ୍ମ ସମ୍ପାଦକ ସ୍ମୃତିରଞ୍ଜନ ମହାପାତ୍ର, ସମ୍ପାଦକ ଶଶିକାନ୍ତ ନାୟକ, ମାର୍କୋଣା ଆଥ୍‌ଲେଟିକ ଆସୋସିଏଶନର ସମ୍ପାଦକ ରମାକାନ୍ତ ପଣ୍ଡା, ଗୋଲକ ପ୍ରସାଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବାଲେଶ୍ୱର ଜିଲା ଟେନିସ୍‌ ଭଲିବଲ ଆସୋସିଏଶନ ଓ ମାର୍କୋଣା ଆଥ୍‌ଲେଟିକ ଆସୋସିଏଶନ(ମା)ର ମିଳିତ ସହଯୋଗରେ ଏହି କ୍ରୀଡା ପରିଚାଳିତ ହେଉଛି ା