ଚତୁର୍ଦ୍ଦଶ ତୋଷାଳି ମେଳା:ଥିମ୍‌ ପାଭିଲିୟନ୍‌ରେ ‘କଳିଙ୍ଗ ତନ୍ତୁକୃତି’

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ଟସର କୋଷାର ମୋଦଲ, ଡାବା, ବୁଗେ, ଫୁକି, ମଲ୍‌ବେରୀ, ଏରି ସୂତା ଓ ଟସର ଡେମ୍ଫର ସୂତା। କୁଟୀର ସୂତା, ରିଲ୍‌ ସୂତା, ଘିଚା ସୂତା ଓ ମଲ୍‌ବେରୀରେ ତିଆରି କାନଫୁଲ ଓ ହାର। ମଲ୍‌ବେରୀ ଖୋଳରେ ଖଞ୍ଜା ଯାଇଛି ରଙ୍ଗ ବେରଙ୍ଗର ଲିଚୁ ଲାଇଟ୍‌। ରେଶମ ସୂତାରେ ତିଆରି ଶାଢ଼ି, ସ୍କାର୍ଫ, ଜ୍ୟାକେଟ୍‌, ଶାଲ୍‌ ଓ ସମସ୍ତ ପ୍ରକାରର ହସ୍ତତନ୍ତ। ତୋଷାଳି ଜାତୀୟ ହସ୍ତତନ୍ତ ମେଳାରେ ଗୋଟିଏ ସ୍ଥାନରେ ଦେଖିବାକୁ ମିଳୁଛି କଳିଙ୍ଗ ତନ୍ତୁ କଳାକୃତିର ଏଭଳି ନିଆରା ଝଲକ। ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଜନତା ମଇଦାନଠାରେ ଚାଲିଥିବା ଚତୁର୍ଦ୍ଦଶ ତୋଷାଳି ମେଳାର ଆକର୍ଷଣ ସାଜିଛି ଏହାର ଥିମ୍‌ ପାଭିଲିୟନ୍‌। ‘କଳିଙ୍ଗ ତନ୍ତକୃତି’ ଥିମ୍‌ରେ ପରିକଳ୍ପନା କରାଯାଇଥିବା ଏହି ପାଭିଲିୟନ୍‌ରେ ଓଡ଼ିଶାରୁ ଉତ୍ପାଦିତ ତନ୍ତୁ ସମ୍ପର୍କରେ ଦର୍ଶକ ଜାଣିବା ପାଇଁ ବିଭିନ୍ନ ସାମଗ୍ରୀ ପ୍ରଦର୍ଶିତ ହୋଇଛି। ଟସରରୁ କେମିତି ଫାଇନ୍‌ ସୂତା କଢ଼ାଯାଏ, ବୁନିଆଦ ମେଶିନ୍‌ରେ ବିନା ଟୁଇଷ୍ଟରେ କିଭଳି ସୂତା ତିଆରି ହୁଏ ଏବଂ ସ୍ପିନିଂ ମେଶିନ୍‌ରେ ୱେଷ୍ଟେଜ୍‌ରୁ କିଭଳି ସୂତା ବାହାରେ ତାହା ଏଠାରେ ଦେଖିବାକୁ ମିଳୁଛି। ଟସର ଗଛ, ଅସନ ଓ ଅର୍ଜୁନ ଗଛ ଏଠାରେ ରହିଥିବାବେଳେ ଜୀବନ୍ତ ଟସର ପୋକ, ମଲ୍‌ବେରୀ ପୋକ, ଏରି ପୋକଙ୍କୁ ପ୍ରଦର୍ଶନ ପାଇଁ ରଖାଯାଇଛି। କୁକୁନ ଟସର ଗ୍ରେନେଜ୍‌ରେ କିଭଳି ଟସର ପୋକର ଅଣ୍ଡା ପ୍ରସ୍ତୁତ କରାଯାଇ ଟସର ଚାଷୀଙ୍କୁ ଦିଆଯାଇଥାଏ ତାହା ପାଭିଲିୟନ୍‌ରେ ଥିବା ଭଗାମୁଣ୍ଡା ଟିଆରସିଏସ୍‌ର କୁନି ଦେହୁରୀ ଦର୍ଶକଙ୍କୁ ବୁଝାଇ କହୁଛନ୍ତି। ଏହି ପାଭିଲିୟନ୍‌ ଦେଖିବାକୁ ପ୍ରତ୍ୟହ ସନ୍ଧ୍ୟାରେ ଲୋକଙ୍କ ଭିଡ଼ ଜମୁଛି।
ମେଳାର ୩ୟ ସନ୍ଧ୍ୟାରେ ମଙ୍ଗଳବାର ବିଭାଗୀୟ ପ୍ରମୁଖ ଶାସନ ସଚିବ ନିତେନ ଚନ୍ଦ୍ର ଯୋଗଦେଇ ବିଭିନ୍ନ ଷ୍ଟଲ୍‌ ବୁଲି ଦେଖିବା ସହ କାରିଗରମାନଙ୍କ ସହିତ ଆଲୋଚନା କରିଥିଲେ। ସେହିଭଳି ତୋଷାଳି ମେଳାରେ ମୁଖ୍ୟ ମଞ୍ଚରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ମୁଖ୍ୟ ଅତିଥିଭାବେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ବିଭୂ ପ୍ରସାଦ ଏବଂ ସୋନାଲୀ ଯୁଗଳବନ୍ଦୀରେ ‘ତୁ ମୋର ସାଥିରେ…’, ‘ବାହୋ ମେ ଚଲେ ଆ…’, ‘ଲଗ୍‌ ଯା ଗଲେ…’, ‘ମେରେ ରସ୍‌କେ କମର…’, ‘ମଲ୍ଲିକା! ଚାଲ୍‌ ଯିବା ଚିଲିକା…’ ଭଳି ଓଡ଼ିଆ ଓ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଚିରସବୁଜ ଗୀତମାନ ଗାଇଥିଲେ। ପରେ ପରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସାଂସ୍କୃତିକ ପରିଷଦ ଦ୍ୱାରା ନାଟକ ‘ପୁତ୍ରପୂଜା’ ମଞ୍ଚସ୍ଥ ହୋଇଥିଲା। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ବୁଧବାର ଅନ୍ତରା ଚକ୍ରବର୍ତ୍ତୀ, ତାରିକ ଅଜିଜ୍‌ ଓ ତାଙ୍କ ସାଥୀମାନଙ୍କ ଦ୍ୱାରା ସଂଗୀତ ପରିବେଷଣ ହେବାର କାର୍ଯ୍ୟକ୍ରମ ରହିଛି।

Share