ଚନ୍ଦକା-ଡମପଡ଼ା ଅଭୟାରଣ୍ୟ: ବର୍ଷସାରା ନାଇଟ୍‌, ଫୁଟ୍‌ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ତତ୍ପର ହୋଇଛି ବନ ବିଭାଗ। ବର୍ଷ ସାରା ଏହି ଅଭୟାରଣ୍ୟରେ ନାଇଟ୍‌ ପାଟ୍ରୋଲିଂ ଏବଂ ଫୁଟ୍‌ ପାଟ୍ରୋଲିଂ ନିୟମିତ ଭାବେ କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଅଭୟାରଣ୍ୟରେ ହାତୀଙ୍କ ସୁରକ୍ଷା ଓ ପରିଚାଳନା ପାଇଁ ଆସୁଥିବା ଅର୍ଥର ସୁବିନିଯୋଗ କରିବା ଏବଂ ଅର୍ଥ ବ୍ୟୟ ସମୟରେ ସ୍ବଚ୍ଛତା ଅବଲମ୍ବନ କରିବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଅଭୟାରଣ୍ୟରେ ୧୨ଟି ଓ୍ବାଚ୍‌ ଟାଓ୍ବାର ଅଛି, ଯାହାକି ପର୍ଯ୍ୟାପ୍ତ ନୁହେଁ। ତେଣୁ ହଜବନ୍ଧଠାରେ ଆଉ ଏକ ଓ୍ବାଚ୍‌ ଟାଓ୍ବାର ନିର୍ମାଣ ନିମନ୍ତେ ଅନୁମୋଦିତ ୨୦ଲକ୍ଷ ଟଙ୍କା ତୁରନ୍ତ ଉପଯୋଗ କରି ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ଆରୁଖ ନିର୍ଦ୍ଦେଶ ଦେଇଥିଲେ। ଶୁକ୍ରବାର ଅଚାନକ ମନ୍ତ୍ରୀ ପରିଦର୍ଶନରେ ଆସି ଅଭୟାରଣ୍ୟ ସ୍ଥିତ ଗୋଡ଼ିବାରି, କୁମାରଖୁଣ୍ଟି, ଡେରାସ ଏବଂ ଅମ୍ବିଲୋ ପ୍ରଭୃତି ସ୍ଥାନ ବୁଲି ଦେଖିଥିଲେ। ଏଥିସହ ଅଭୟାରଣ୍ୟର ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ସମୟରେ ବନଖଣ୍ଡ ଅଧିକାରୀ, ସହକାରୀ ବନ ସଂରକ୍ଷକ, ରେଞ୍ଜ ଅଫିସର, ଫରେଷ୍ଟର ତଥା ଅନ୍ୟାନ୍ୟ ବନ କର୍ମଚାରୀ ଉପସ୍ଥିତ ଥିଲେ। ଅଭୟାରଣ୍ୟର ସୁରକ୍ଷା, ଜୀବଜନ୍ତୁଙ୍କ ସୁରକ୍ଷା, ମଣିଷ ଓ ବନ୍ୟପ୍ରାଣୀ ସଂଘର୍ଷର ଠିକ୍‌ ପରିଚାଳନା, ବନୀକରଣ, ପରିବେଶ ପର୍ଯ୍ୟଟନ ପ୍ରଭୃତି ବିଭିନ୍ନ ପ୍ରସଙ୍ଗ ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ଜଙ୍ଗଲ ନିଆଁ ନିର୍ବାପକ ସ୍କ୍ବାଡ୍‌ ଆବଶ୍ୟକୀୟ ସାମଗ୍ରୀ ସହ ସର୍ବଦା ପ୍ରସ୍ତୁତ ରହିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

Share