ଚନ୍ଦକା ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ୪ଶହ ଲିଟର ରନ୍ଧାମଦ ଜବତ, ୨ ଗିରଫ

କଟକ ରୋଡ, ୧୫।୧୧(ଡି.ଏନ୍‌.ଏ.): ଭୁବନେଶ୍ୱର ଅବକାରୀ ଓ ମୋବାଇଲ ସ୍କ୍ବାର୍ଡ ଶୁକ୍ରବାର ରାଜଧାନୀର ଚନ୍ଦକା ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ମହିଳାଙ୍କ ସମେତ ୨ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ଛବି ଦେହୁରୀ ଏବଂ ଅଭି ସାହୁ। ଏମାନଙ୍କଠାରୁ ୪ଶହ ଲିଟର ରନ୍ଧା ମଦ ଜବତ କରାଯାଇଛି। ଜବତ ମଦର ଆନୁମାନିକ ମୂଲ୍ୟ ପ୍ରାୟ ୭୦ହଜାର ଟଙ୍କା ହେବ ବୋଲି ଅବକାରୀ ଏସ୍‌ଆଇ ହିତାଂଶୁ ଶେଖର ମଲ୍ଲିକ କହିଛନ୍ତି।

ସୂଚନାନୁଯାୟୀ, ଦୀର୍ଘଦିନ ଧରି ଛବି ଏବଂ ଅନ୍ୟ ଅଭିଯୁକ୍ତ କଟକ ଓ ଆଠଗଡ଼ ଅଞ୍ଚଳରୁ ରନ୍ଧା ମଦ ସଂଗ୍ରହ କରି ସେମାନଙ୍କ ଘରେ ରଖି ଚନ୍ଦକା ଓ ତମାଣ୍ଡୋ ଥାନା ଅଞ୍ଚଳରେ କେତେକ ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ। ଖବର ପାଇ ସକାଳ ପ୍ରାୟ ୭ଟାରେ ଏକ ଟିମ୍‌ ଉଭୟ ଅଭିଯୁକ୍ତଙ୍କୁ ଧରିଥିଲା। ପୂର୍ବରୁ ଅଭିଙ୍କ ନାମରେ ଖୋର୍ଦ୍ଧା ଅବକାରୀ କାର୍ଯ୍ୟାଳୟରେ ଏକାଧିକ ମାମଲା ରହିଥିବା କୁହାଯାଉଛି। ଭୁବନେଶ୍ୱର ଅବକାରୀ କାର୍ଯ୍ୟାଳୟରେ ମାମଲା (ନଂ-୩୭ ଏବଂ ୬୨(୧୯/୨୦) ରୁଜୁ ହୋଇଛି।

Share