Categories: ବାଣିଜ୍ୟ

ଚନ୍ଦା କୋଚ୍ଚରଙ୍କ ୭୮ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୧୧-୧ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ତଥା ସିଇଓ ଚନ୍ଦା କୋଚ୍ଚରଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭିଡିଓକନ କମ୍ପାନୀକୁ ପ୍ରଦାନ କରାଯାଇଥିବା ୩୨୫୦ କୋଟି ଟଙ୍କାର ଋଣ ମାମଲାରେ ଇଡି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି। ଏହା ଅନ୍ତର୍ଗତ କୋଚ୍ଚରଙ୍କ ମୁମ୍ବାଇସ୍ଥିତ ଫ୍ଲାଟ, ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କର କିଛି ସମ୍ପତ୍ତି ଜବତ କରାଯାଇଛି। ଜବତ ହୋଇଥିବା ସମ୍ପତ୍ତିର ମୂଲ୍ୟ ପ୍ରାୟ ୭୮ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ମାମଲା ସହ ଜଡିତ ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ଯେ, ପ୍ରିଭେନଶନ ଅଫ୍‌ ମନି ଲଣ୍ଡରିଂ ଆଇନ (ପିଏମ୍‌ଏଲ୍‌ଏ)ରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଆଇନ ଅନ୍ତର୍ଗତ ସମ୍ପତ୍ତି ଜବତ ନେଇ ନିର୍ଦ୍ଦେଶ ଦିଆଯାଇଛି। ଜବତ ସମ୍ପତ୍ତି ମଧ୍ୟରେ କୋଚ୍ଚରଙ୍କ ମୁମ୍ବାଇସ୍ଥିତ ବାସଭବନ ଏବଂ ତାଙ୍କ ସହ ଜଡିତ ଏକ କମ୍ପାନୀର ସମ୍ପତ୍ତି ରହିଛି। ଭିଡିଓକନ କମ୍ପାନୀକୁ ପ୍ରଦାନ କରାଯାଇଥିବା ଋଣ ମାମଲାରେ ଏବେ ଇଡି ଯାଞ୍ଚ ପ୍ରକ୍ରିୟା ଜାରି ରଖିଛି। ଭିଡିଓକନ୍‌ କମ୍ପାନୀ ଦ୍ୱାରା ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଦୀପକ କୋଚ୍ଚର ଅନୁକମ୍ପା ଲାଭ କରିଥିବା ଅଭିଯୋଗ ଆସିଥିଲା। ଏହା ପରେ ଚନ୍ଦା କୋଚ୍ଚର ୨୦୧୮ ଅକ୍ଟୋବରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ।
କଣ ରହିଥିଲା ମାମଲା…
୨୦୧୨ରେ ଭିଡିଓକନ ଗ୍ରୁପ ଆଇସିଆଇସିଆଇ ବ୍ୟାଙ୍କଠାରୁ ୩,୨୫୦ କୋଟି ଟଙ୍କାର ଋଣ ନେଇଥିଲା। ଏସ୍‌ବିଆଇ ନେତୃତ୍ୱାଧୀନ ବ୍ୟାଙ୍କ ସମୂହଙ୍କଠାରୁ ଭିଡିଓକନ ନେଇଥିବା ମୋଟ ୪୦ ହଜାର କୋଟି ଟଙ୍କାର ଋଣ ମଧ୍ୟରେ ଆଇସିଆଇସିଆଇର ଏହି ଋଣ ସାମିଲ ରହିଥିଲା । ଭିଡ଼ିଓକନ ଗ୍ରୁପ ଅଧ୍ୟକ୍ଷ ବେଣୁଗୋପାଳ ଧୂତ୍‌ ୨୦୧୪ ରେ ୬୪ କୋଟି ଟଙ୍କା ନ୍ୟୁ ପାଓ୍ବାର ରିନ୍ୟୁଏବଲ୍‌ ପ୍ରାଇଭେଟ ଲିମିଟେଡ (ଏନ୍‌ଆର୍‌ପିଏଲ୍‌)କୁ ପ୍ରଦାନ କରିଥିଲେ। ଏହି କମ୍ପାନୀକୁ ଧୂତ୍‌ ଚନ୍ଦା କୋଚ୍ଚରଙ୍କ ସ୍ବାମୀ ଏବଂ ଅନ୍ୟ ୨ ଜଣ ଅଂଶୀଦାରଙ୍କ ସହ ମିଳିତ ହୋଇ ସ୍ଥାପନ କରିଥିଲେ। ଆଇସିଆଇସିଆଇ ବ୍ୟାଙ୍କରୁ ଋଣ ଯୋଗାଣ ଦ୍ୱାରା ଚନ୍ଦା କୋଚ୍ଚରଙ୍କ ପରିବାର ଲୋକଙ୍କଠାରୁ ଆର୍ଥତ୍କ ଫାଇଦା ନେଇଥିବା ଅଭିଯୋଗ ଆସିଛି।

Share