ଚନ୍ଦ୍ରକୁ ଉପକରଣ ପଠାଇବ ନାସା

ଓ୍ବାଶିଂଟନ୍‌: ୧୯୭୦ ପରେ ପ୍ରଥମଥର ପାଇଁ ଆମେରିକା ଚନ୍ଦ୍ରପୃଷ୍ଠକୁ ବୈଜ୍ଞାନିକ ଉପକରଣ ପଠାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ୨୦୨୦ ଓ ୨୦୨୧ରେ ଏହି ଉପକରଣ ପଠାଯିବା ପରେ ୨୦୨୪ରେ ଚନ୍ଦ୍ରପୃଷ୍ଠକୁ ମାନବ ପଠାଯାଇ ସେଠାରେ ଜୀବସତ୍ତା ତିଷ୍ଠିବ କି ନା ସେ ସମ୍ପର୍କରେ ଗବେଷଣା ଜାରି ରହିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଆଷ୍ଟ୍ରୋବୋଟିକ୍‌, ଇଣ୍ଟୁଟିଭ୍‌ ମେଶିନ୍‌ ଏବଂ ଅର୍‌ବିଟ୍‌ ବିୟଣ୍ଡ୍‌ ଭଳି ଲ୍ୟାଣ୍ଡରଗୁଡିକରେ ବୈଜ୍ଞାନିକ ଯନ୍ତ୍ରାଂଶ ଏବଂ ଅନ୍ୟ ଉପକରଣ ପଠାଯିବ। ଏଥିପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ୨୦୨୪ ସୁଦ୍ଧା ଯେପରି ଚନ୍ଦ୍ରପୃଷ୍ଠକୁ ମାନବ ପଠଇବା ଲକ୍ଷ୍ୟ ପୂରଣ ହୁଏ ସେଥିପାଇଁ ଆମେରିକା ଯତ୍ନଶୀଳ ଅଛି। ପ୍ରତ୍ୟେକ କମ୍ପାନୀ ବିଭିନ୍ନ ଆକୃତିର ଲୁନାର ଲ୍ୟାଣ୍ଡର ବିକଶିତ କରିଛନ୍ତି। ଲ୍ୟାଣ୍ଡରଗୁଡିକ ୨୩ଟି ପେଲୋଡ ବହନକରି ଚନ୍ଦ୍ରପୃଷ୍ଠକୁ ଯିବେ। ଏଥିରେ ଥିବା ଯନ୍ତ୍ରାଂଶ ମହାକାଶଚାରୀଙ୍କୁ ସୂଚନା ସଂଗ୍ରହରେ ସାହାଯ୍ୟ କରିବ।
ଅର୍‌ବିଟ୍‌ ବିୟଣ୍ଡ ୨୦୨୦ ସେପ୍ଟେମ୍ବର ସୁଦ୍ଧା ଚନ୍ଦ୍ରପୃଷ୍ଠରେ ଥିବା ଏକ ସମତଳ ଭୂମି ମେୟାର ଇମ୍ବ୍ରିଅମ୍‌ରେ ଅବତରଣ କରିବ। ଇଣ୍ଟୁଟିଭ୍‌ ମେଶିନ୍‌ ୨୦୨୧ ଜୁଲାଇରେ ଚନ୍ଦ୍ରପୃଷ୍ଠର କଳା ଚିହ୍ନିତ ଅଂଶରେ ଅବତରଣ କରିବ। ସ୍ପେସେକ୍ସ କମ୍ପାନୀର ଫାଲକନ୍‌ ରକେଟ୍‌ ଦ୍ୱାରା ଏଗୁଡିକୁ ମହାକାଶକୁ ପଠାଯିବ। ଏଥିପାଇଁ ନାସା ପକ୍ଷରୁ କମ୍ପାନୀଗୁଡିକୁ ୭୭-୯୭ ନିୟୁତ ଆମେରିକୀୟ ଡଲାର ପ୍ରଦାନ କରାଯାଇଛି।

Share