ଚନ୍ଦ୍ରଭାଗାରେ ଜଳ କ୍ରୀଡ଼ାର ମଜାନେବେ ପର୍ଯ୍ୟଟକ

ପୁରୀ ଅଫିସ, ୨୯।୯: ଆସୁଛି ପର୍ଯ୍ୟଟନ ଋତୁ। ପୁରୀକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ। ତେଣୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ପୁରୀ ଜିଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେବାକୁ ଯୋଜନା କରୁଛି। ଚନ୍ଦ୍ରଭାଗାରେ ପର୍ଯ୍ୟଟକଙ୍କୁ ୱାର୍ଟର ସ୍ପୋଟର୍‌ସ (ଜଳ କ୍ରୀଡ଼ାର) ମଜା ମିଳିବ। ଏ ନେଇ ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋଣାର୍କର ଅକେଲା ଆଡ୍‌ଭେଞ୍ଚର ସଂସ୍ଥାର ପଦାଧିକାରୀ ଯୋଗଦେଇ ସରକାରଙ୍କଠାରୁ ପାଇଥିବା ଅନୁମତି ସଂକ୍ରାନ୍ତରେ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ।
ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ସମ୍ପୃକ୍ତ ସଂସ୍ଥା ପ୍ରଥମେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ନିରାପତ୍ତା ସଂକ୍ରାନ୍ତୀୟ ଅଣ୍ଡରଟେକିଂ ଲେଖିଦେବ। ଏଥିସହ ନିୟମକାନୁନ ମାନିବା ନେଇ ସମ୍ମତି ଜଣାଇବା ପରେ ପ୍ରଶାସନ ଅନୁଧ୍ୟାନ କରି ସଂସ୍ଥାକୁ ଅନୁମତି ଦେବ। ଏହି ସଂସ୍ଥା ସ୍ପିଡ୍‌ ବୋଟ, ଜେଟ୍‌ ସ୍କି, ବାନାନା ବୋଟ ସହିତ ବାଲିରେ ଏଟିଭି (ଅଲ୍‌-ଟେରେନ ଭେଇକ୍ଲି) ଚଳାଇବ ବୋଲି ଜଣାପଡ଼ିିଛି। ଚନ୍ଦ୍ରଭାଗାଠାରୁ ୫୦୦ ମିଟର ପରେ ନୋଳିଆସାହି ପଟକୁ ଏହା ଚଳାଚଳ କରିବ ବୋଲି ସ୍ଥିର ହୋଇଛି। ଅକ୍ଟୋବର ୨ରୁ ଏହା ଚଳାଚଳ କରିବାର ସମ୍ଭାବନା ରହିଛି। ବୈଠକରେ ଜିଲାପାଳ ବଲଓ୍ବନ୍ତ ସିଂଙ୍କ ସମେତ ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଜେନା, କୋଣାର୍କ ଟୁରିଷ୍ଟ ଅଫିସର ସରୋଜକାନ୍ତ ପ୍ରଧାନ, କୋଣାର୍କ ଏନ୍‌ଏସି ଏକ୍‌ଜିକ୍ୟୁଟିଭ ଅଫିସର ଏବଂ ଥାନା ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ।

Share