ଭୁବନେଶ୍ୱର,୭।୨(ବ୍ୟୁରୋ): ସାଂସ୍କୃତିକ ଅନୁଷ୍ଠାନ ଶ୍ରୁତି ପକ୍ଷରୁ ଆସନ୍ତା ୧୦ ଓ ୧୧ ତାରିଖରେ ଓଡ଼ିଶୀ ସଙ୍ଗୀତ ଏବଂ ଲଘୁସଙ୍ଗୀତ ସମାରୋହ ଅନୁଷ୍ଠିତ ହେବ। ଏହି ଅବସରରେ କଳାକ୍ଷେତ୍ରରେ ଜୀବନବ୍ୟାପୀ ସାଧନା ନିମନ୍ତେ ବିଶିଷ୍ଟ ଓଡ଼ିଶୀ କଣ୍ଠସଙ୍ଗୀତ ଶିଳ୍ପୀ ଗୁରୁ ଚନ୍ଦ୍ରମଣି ଲେଙ୍କାଙ୍କୁ ପଣ୍ଡିତ ଭୁବନେଶ୍ୱର ମିଶ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ଏହାସହ ପ୍ରସିଦ୍ଧ ଦାସକାଠିଆ ଗାୟକ ଉପେନ୍ଦ୍ର ପାଣିଗ୍ରାହୀଙ୍କୁ ଶ୍ରୁତି ସମ୍ମାନ ଏବଂ ବିଶିଷ୍ଟ କଳା ସଙ୍ଗଠକ ଓ ସାମାଜିକ କାମ ଲାଗି ୪ଜଣଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ଅବସରରେ ପ୍ରଥମ ଦିନ ଗୀତଗୋବିନ୍ଦ ଗାୟନ ସହ ହିନ୍ଦୁସ୍ଥାନୀ ଓ ଓଡ଼ିଶୀ କଣ୍ଠସଙ୍ଗୀତ ପରିବେଷଣ ହେବ। ସେହିଭଳି ଦ୍ୱିତୀୟ ଦିବସରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ସଙ୍ଗୀତଶିଳ୍ପୀଙ୍କ ଦ୍ୱାରା ଲଘୁସଙ୍ଗୀତ ଗାୟନ ହେବ। କାର୍ଯ୍ୟକ୍ରମ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସମ୍ପାଦିକା ହରପ୍ରିୟା ସ୍ବାଇଁ ସୂଚନା ଦେଇଛନ୍ତି।