ନୂଆଦିଲ୍ଲୀ,୧୮।୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଏବେ ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ କରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଏବେ ଏହି ଆଶା କ୍ଷୀଣ ହୋଇ ଯାଇଥିବା ସୂଚନା ଦେଇଛି ଇସ୍ରୋ। ଏକ ଟୁଇଟ୍ କରି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି କି ବିକ୍ରମ ଲ୍ୟାଣ୍ଡର ସହ ସମ୍ପର୍କ କଟିଯିବା ପରେ ବି ଦେଶବାସୀ ଇସ୍ରୋକୁ ଯେଉଁଭଳି ଭାବେ ସହଯୋଗ କଲେ ସେଥିପାଇଁ ଧନ୍ୟବାଦ। ବିଶ୍ୱର ଆଶା ଓ ଭାରତୀୟଙ୍କ ସ୍ବପ୍ନକୁ ନେଇ ଆମେ ଆହୁରି ଆଗକୁ ଯିବୁ ବୋଲି ଟୁଇଟରରେ ଉଲ୍ଲେଖ କରାଯାଇଛି। ତେବେ ଭାରତୀୟମାନେ ଆମକୁ ଚନ୍ଦ୍ରମା ପର୍ଯ୍ୟନ୍ତ ପହଞ୍ଚିବାକୁ ଯେଉଁ ପ୍ରେରଣା ଦେଇଛନ୍ତି ସେଥିପାଇଁ ଇସ୍ରୋ ଧନ୍ୟବାଦ ଜଣାଇଛି। ଏମିତି ପ୍ରେରଣା ରହିଲେ ଇସ୍ରୋ ଖୁବ୍ଶୀଘ୍ର ଚନ୍ଦ୍ରରେ ପହଞ୍ଚିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୭ ପ୍ରାୟ ୧ଟା ୫୦ ମିନିଟ୍ ପାଖାପାଖି ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଲ୍ୟାଣ୍ଡ ହୋଇଯାଇଥିଲା। ଯେତେବେଳେ ଏହା ହାର୍ଡ ଲ୍ୟାଣ୍ଡିଙ୍ଗ କରିଥିଲା ସେତେବେଳେ ଚନ୍ଦ୍ରରେ ଦିନ ହୋଇଥିଲା। ଅର୍ଥାତ୍ ସୂର୍ଯ୍ୟଙ୍କର ରଶ୍ମୀ ଚନ୍ଦ୍ର ଉପରେ ପଡିବା ଆରମ୍ଭ କରିଥିଲା। ଏହା ପାଖାପାଖି ୧୪ ଦିନ ପର୍ଯ୍ୟନ୍ତ ରହିଥିଲା। ଏବେ ଏହା ପୂରଣ ହେବାକୁ ଯାଉଛି। ଅର୍ଥାତ୍ ସେପ୍ଟେମ୍ବର ୨୦-୨୧ ବେଳକୁ ଚନ୍ଦ୍ରରେ ରାତି ହୋଇଯିବ। ଆଉ ଏଥିପାଇଁ ଖୁବ୍ କମ୍ ସମୟ ବାକି ଥିବାରୁ ଏବେ ଆଉ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ହୋଇ ପାରିବ ନାହିଁ ବୋଲି ଇସ୍ରୋ ଅନୁମାନ ଲଗାଇଛି। ଯଦି ଏହା ପୂର୍ବରୁ ସମ୍ପର୍କ ହୋଇଗଲା ତା’ହେଲେ ଠିକ୍ ଅଛି ନଚେତ୍ ବିକ୍ରମ ଲ୍ୟାଣ୍ଡର ସହ ଆଉ ସମ୍ପର୍କ ହୋଇ ପାରିବ ନାହିଁ ବୋଲି କହିଛି ଇସ୍ରୋ।