Advertisement
Categories: ଜାତୀୟ

ଚନ୍ଦ୍ରର ଦ୍ୱିତୀୟ କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରୟାନ-୨: ସେଠାରେ ୭ ଦିନ ପର୍ଯ୍ୟନ୍ତ ଘୁରିବ

ଶ୍ରୀହରିକୋଟା,୨୧।୮: ଚନ୍ଦ୍ରୟାନ-୨ ବୁଧବାର ଚନ୍ଦ୍ରର ଦ୍ୱିତୀୟ କକ୍ଷପଥରେ ପ୍ରବେଶ କରିଛି। ଏହା ସେଠାରେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଘୁରିବ। ମଧ୍ୟାହ୍ନ ୧୨ଟା ୩୦ରୁ ୧ଟା ୩୦ ମଧ୍ୟରେ ଇସ୍ରୋ ବୈଜ୍ଞାନିକ ଚନ୍ଦ୍ରୟାନ-୨ କୁ ଦ୍ୱିତୀୟ କକ୍ଷପଥରେ ପ୍ରବେଶ କରାଇଛନ୍ତି। ଅଗଷ୍ଟ ୨୮ ଭୋର୍‌ ୫ଟା ୩୦ରୁ ୬ଟା ୩୦ ମଧ୍ୟରେ ଏହା ତୃତୀୟ କକ୍ଷ ପଥରେ ପ୍ରବେଶ କରିବ। ସେହିପରି ଅଗଷ୍ଟ ୩୦ ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ପରବର୍ତ୍ତୀ କକ୍ଷପଥରେ ପ୍ରବେଶ କରିବ। ସେପ୍ଟେମ୍ବର ୧ ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଏହା ୫ମ କକ୍ଷପଥରେ ପ୍ରବେଶ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ସେପ୍ଟେମ୍ବର ୨ରେ ଚନ୍ଦ୍ରୟାନ-୨ରୁ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞା ଅଲଗା ହୋଇଯିବେ। ବିକ୍ରମ ଚନ୍ଦ୍ରପୃଷ୍ଠ ଆଡ଼କୁ ଅଗ୍ରସର ହେବ। ୩ ସେପ୍ଟମ୍ବରରେ ବିକ୍ରମର ସ୍ଥିତି ଯାଞ୍ଚ୍‌ କରାଯିବ। ଏହି ସମୟରେ ଇସ୍ରୋ ବୈଜ୍ଞାନିକ ୩ ସେକେଣ୍ଡ ପାଇଁ ଏହାର ଇଞ୍ଜିନ୍‌ ଚାଲୁ କରିବା ସହିତ ଏହାର କକ୍ଷରେ କେତେକ ପରିବର୍ତ୍ତନ କରିବେ। ସେପ୍ଟେମ୍ବର ୪ରେ ବିକ୍ରମ ଚନ୍ଦ୍ରର ସବୁଠାରୁ ନିକଟତମ କକ୍ଷ ପଥରେ ପ୍ରବେଶ କରି ୩ ଦିନ ପର୍ଯ୍ୟନ୍ତ ସେଠାରେ ଘୁରିବ। ୭ ସେପ୍ଟମ୍ବର ମଧ୍ୟ ରାତ୍ର ୧ଟା ୪୦ରେ ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ୩୫ କିଲୋମିଟର ଉଚ୍ଚତାରୁ ଅବତରଣ କରିବା ଆରମ୍ଭ କରିବ। ରାତ୍ର ୧ଟା ୫୫ରେ ଏହା ପ୍ରତି ସେକେଣ୍ଡରେ ୨ ମିଟର ଅବତରଣ କରିବ। ଏହି କାର୍ଯ୍ୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ଜାରି ରହିବ। ଭୋର୍‌ ୩ଟା ୫୫ରେ ଅବତରଣର ପ୍ରାୟ ୨ ଘଣ୍ଟା ପରେ ଲ୍ୟାଣ୍ଡର ବିକ୍ରମର କବାଟ(ରୈମ୍ପ୍‌) ଖୋଲିବ ଏବଂ ଏହା ମଧ୍ୟ ଦେଇ ୬ ଚକା ବିଶିଷ୍ଟ ରୋଭର ପ୍ରଜ୍ଞା ବାହାରକୁ ବାହାରିବ। ଭୋର୍‌ ୫ଟା ୫ରେ ପ୍ରଜ୍ଞାର ସୋଲାର ପ୍ୟାନେଲ୍‌ ଖୋଲିବ। ଭୋର୍‌ ୫ଟା ୧୦ରେ ଏହା ଚନ୍ଦ୍ରପୃଷ୍ଠରେ ଚାଲିବା ଆରମ୍ଭ କରିବ। ଏହା ପ୍ରତି ସେକେଣ୍ଡରେ ଏକ ସେଣ୍ଟିମିଟର ଗତି କରିବ। ଏହା ୧୪ ଦିନ ପର୍ଯ୍ୟନ୍ତ ଘରିବୁଲି ୫ଶହ ମିଟର ଗତି କରିବ। ଅର୍ବିଟରରେ ଥିବା ଅବଶିଷ୍ଟ ଇନ୍ଧନ ଯୋଗୁ ଏହା ଚନ୍ଦ୍ର ଚାରିପଟେ ଘୁରିବୁଲି ୨ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ତଥ୍ୟ ସଂଗ୍ରହ କରିବାକୁ ସକ୍ଷମ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

Share