Categories: ଜାତୀୟ

ଚନ୍ଦ୍ରାୟନ-୨: ସହଜ ନୁହେଁ ଯାତ୍ରା; ରହିଛି ୭ ସମସ୍ୟା

ନୂଆଦିଲ୍ଲୀ, ୪।୬: ଆଗାମୀ ଦିନରେ ଇସ୍ରୋ ପକ୍ଷରୁ ଚନ୍ଦ୍ରାୟନ-୨ ମହାକାଶକୁ ଉତ୍‌କ୍ଷେପଣ କରାଯିବାର ଯୋଜନା ରହିଛି। ତେବେ ଏହାର ସଫଳତା ବାଟରେ ୭ ସମସ୍ୟା ରହିଥିବା କୁହାଯାଉଛି। ଏହା ଜୁଲାଇ ୯ରୁ ୧୬ ମଧ୍ୟରେ ମହାକାଶକୁ ଛଡାଯିବ। ଏହାର ଉତ୍‌ କ୍ଷେପଣଠାରୁ ଆରମ୍ଭ କରି ଚନ୍ଦ୍ରରେ ଅବତରଣ କରିବା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସମସ୍ୟା ରହିଛି। ଏସବୁ ସମସ୍ୟାର ସମାଧାନ ସହଜରେ କରାଯାଇପାରିବ ବୋଲି ଇସ୍ରୋ ବୈଜ୍ଞାନିକ ଆଶା କରୁଛନ୍ତି। ଚନ୍ଦ୍ରାୟନ-୨ ଉତ୍‌କ୍ଷେପଣ ସମୟରେ ପୃଥବୀଠାରୁ ଚନ୍ଦ୍ରର ଦୂରତା ୩ଲକ୍ଷ ୮୪ ହଜାର ୪ଶହ କିଲୋମିଟର ରହିଥିବ। ମହାକାଶରେ ଉପଯୁକ୍ତ ପଥରେ ଚନ୍ଦ୍ରାୟନ-୨କୁ ଛଡାଗଲେ ଏହା ବିନା ପ୍ରତିବନ୍ଧକରେ ସହଜରେ ଚନ୍ଦ୍ରରେ ପହଞ୍ଚିବା କାଠିକର ପାଠ। କାରଣ ଯିବା ପଥରେ କେତେକ ବସ୍ତୁ ଘୁରିବୁଲୁଥିବାର ଆଶଙ୍କା ରହିଛି। ସେହିପରି ପୃଥିବୀଠାରୁ ଅଧିକ ଦୂରରେ ରହିଲେ ରେଡିଓ ସିଗନାଲ୍‌ ଆଦାନ ପ୍ରଦାନରେ ବିଳମ୍ବ ହେବାର ଆଶଙ୍କା ରହିଛି। ଅପରପକ୍ଷରେ ମହାକାଶରେ ସୃଷ୍ଟି ହେଉଥିବା କ୍ରିୟା ଓ ପ୍ରତିକ୍ରିୟା ସିଗନାଲ୍‌ ସଞ୍ଚରଣରେ ବାଧା ଉତ୍ପନ୍ନ କରିବାର ଆଶଙ୍କା ରହିଛି। ଚନ୍ଦ୍ରାୟନ-୨କୁ ଚନ୍ଦ୍ରର କକ୍ଷପଥରେ ପହଞ୍ଚାଇବା କଷ୍ଟକର। କାରଣ କକ୍ଷପଥରେ ଚନ୍ଦ୍ରର ଘୂର୍ଣ୍ଣନ ଯୋଗୁ ଉପଯୁକ୍ତ ପଥରେ ଏହାକୁ ଅବସ୍ଥାନ କରାଇବା ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଉଛି। ସେହିପରି ତଥ୍ୟ ସଂଗ୍ରହ ପାଇଁ ଚନ୍ଦ୍ର ଚାରିପଟେ ଘୂରିବୁଲିବା ସହଜ ନୁହେଁ। ଚନ୍ଦ୍ର ପୃଷ୍ଠରେ ଧୀରେ ସହଜରେ ଅବତରଣ କରିବା ଏକ କଷ୍ଟକର ବ୍ୟାପାର। ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ପୃଥିବୀର ମାଧ୍ୟାକର୍ଷଣ ଶକ୍ତିଠାରୁ ୪ଗୁଣା କମ୍‌। ଫଳରେ ଚନ୍ଦ୍ରାୟନ-୨କୁ ସନ୍ତୁଳନ କରିବା ସମସ୍ୟା ବହୁଳ। ଅବତରଣ ପରେ ଚନ୍ଦ୍ରରେ ସୃଷ୍ଟି ହେବାକୁଥିବା ଧୁଳି, ଧୁଆଁ ଆଦି ଚନ୍ଦ୍ରାୟନ-୨କୁ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି। ସେହିପରି ଚନ୍ଦ୍ରର ତାପମାତ୍ରା ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବାରୁ ଲାଣ୍ଡର ତଥା ରୋଭରର କାର୍ଯ୍ୟରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି। ତେବେ ଇସ୍ରୋ ପକ୍ଷରୁ ଏହି ୭ଟି ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରହିଛି।

Share