ଚନ୍ଦ୍ରିକାକଁର ଅଁଟାରେ ଆବୁ ଘଟନା: ସାହାଯ୍‌ର ହାତ୍‌ ବଢ଼ାଲା ସୁଆସ୍‌ତିଅ ବିଭାଗ

 

ଅମରପାଲି, ୧୪।୧୨ (ଡି.ଏନ୍‌.ଏ.)-
ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧୀନ ଉଫୁଲା ଗଁାର ରୋହନ ରାଜହଂସ ଆର ଦ୍ରୌପଦୀକଁର ଝି’ ଚନ୍ଦ୍ରିକା ରାଜହଂସ(୫)। ତାକର ଅଁଟାରେ ଗୁଟେ ଆବୁ ବଢ଼ତେଲ ଯାଉଛେ। ହେଲେ ଟଁକା ପଏସା ଅଭାବୁ ମା’ବାପ୍‌ ଚିକିଛା କରେଇ ନାଇଁପାରୁଥାଇ। ଇ ବାବ୍‌ଦେ ଡିସେମ୍ବର ୨ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଚନ୍ଦ୍ରିକାକଁର ଅଁଟାରେ ବଢ଼ୁଛେ ଆବୁ, ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ମା’ବାପ୍‌’ ଶୀର୍‌ଷକରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ସ୍ବାସ୍ଥ୍ୟ ବିଭାଗର ଚେତା ପଶିଥିଲା। ଗୁରୁବାର ସ୍ବାସ୍ଥ୍ୟ ବିଭାଗ ତରଫୁ ଚନ୍ଦ୍ରିକାକୁଁ ଚିକିଛା ଲାଗି କଟକ ବଡ଼ ଡାକ୍‌ତରଖାନା ନିଆଯାଇଛେ।
ପୂରବର ସୂଚନା ହିସାବେ ଉଫୁଲା ଗଁାର ରୋହନ ରାଜହଂସକଁର ପରିବାର କହେଲେ ମାଏକିନା ଦ୍ରୌପଦୀ ଆର ଝି’ ଚନ୍ଦ୍ରିକାକେ ନେଇ ସଁସାର। ପରିବାରଟା ନିହାତି ଗରିବ, ଜମିବାଡ଼ି ବଲି କିଛି ନାଇଁ। ରୋହନ କୁଲିମଜୁରି କରି କୁଟୁମ ପୁଷୁଛନ୍‌। ଏନ୍‌ତାଥି ସେ ଲାଗ୍‌ବରମସ କରି ଚନ୍ଦ୍ରିକାକେ ଚିକିଛା ଲାଗି ବୁର୍ଲା, କଟକ ନେଇଥିଲେ। ହେଲେ ଟଁକା ପଏସା ଅଭାବୁ ସେ ଝି’ର ଉଚ ଚିକିଛା କରେଇ ନାଇଁପାରୁଥାଇ। ଏନ୍‌ତାଥି ଚନ୍ଦ୍ରିକଁାର ଅଁଟାର ଆବୁ ଦିନୁଦିନ୍‌କେ ବଢ଼ତେଲ ଯାଉଥିଲା। ଇଆଡ଼େ ଚନ୍ଦ୍ରିକାକେ ୫ ବଛର ହେଇଥିଲେ ବି ସେ ଚାଲ୍‌ବୁଲ କି ଠିଆ ହେଇ ନାଇଁ ପାରୁଥାଇ। ରୋହନକଁର ସ୍ବାସ୍ଥ୍ୟ କାର୍ଡ ଥିଲେ ବି ସେଟା କାମେ ନାଇଁ ଲାଗିପାରୁଥାଇ। ଇ ବାବ୍‌ଦେ ଧରିତ୍ରୀରେ ଖବର ବାହାରଲାରୁ ସ୍ବାସ୍ଥ୍ୟ ବିଭାଗ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇଥିଲା। ବିଭାଗ ତରଫୁ ଶନିବାର ତାହାକୁ କଟକ ବଡ଼ ଡାକ୍‌ତରଖାନା ନ୍ୟୁରୋଲୋଜି ବିଭାଗରେ ଭରତି କରାଯାଇଛେ। ଇ ସାହାଯ୍‌ ଲାଗି ଚନ୍ଦ୍ରିକାକଁର ମା’ବାପ୍‌ କୁରୁତ୍‌ କୁରୁତ୍‌ ହେଇ ଧରିତ୍ରୀକେ ଧଏନ୍‌ବାଦ ଦେଇଛନ୍‌।

Share