Categories: ଜାତୀୟ

ଚନ୍ଦ୍ରୟାନ-୨ ଉତ୍‌କ୍ଷେପଣ ନିଷ୍ପତ୍ତି ବୁଧବାର

ବେଙ୍ଗାଲୁର,୧୬।୭: ଚନ୍ଦ୍ରୟାନ-୨ର ପରବର୍ତ୍ତୀ ଉତ୍‌କ୍ଷେପଣ ତାରିଖ ସଂକ୍ରାନ୍ତ ନିଷ୍ପତ୍ତି ବୁଧବାର ଘୋଷଣା କରାଯିବା ସମ୍ଭାବନା ଅଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ସୂଚନା ମିଳିଛି। ଲଞ୍ଚ୍‌ ଭେଇକିଲ୍‌ ସିଷ୍ଟମ୍‌ରେ ତ୍ରୁଟି ସୁଧାର କାର୍ଯ୍ୟ ସମ୍ପନ୍ନ ହେବାପରେ ଯାହା କିଛି ନିଷ୍ପତ୍ତି ନିଆଯିବ। ସବୁ ଠିକ୍‌ଠାକ୍‌ ରହିଲେ ଆସନ୍ତା ସୋମବାର (ଜୁଲାଇ ୨୨)ରେ ଉତ୍‌କ୍ଷେପଣ ହୋଇପାରେ ବୋଲି ବୈଜ୍ଞାନିକମାନେ ଆଶା କରୁଛନ୍ତି। ନଚେତ୍‌ ଅକ୍ଟୋବର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଆଉ କେତେକ ବୈଜ୍ଞାନିକଙ୍କ ଧାରଣା ଚଳିତ ବର୍ଷ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣ ସମ୍ଭବତଃ ହୋଇ ନ ପାରେ। ତେବେ ଏ ସମ୍ପର୍କରେ ଇସ୍ରୋ ସରକାରୀ ଭାବେ ସୂଚନା ଦେବା ବାକି ରହିଛି। ବୈଷୟିକ ତ୍ରୁଟି ଯୋଗୁ ରବିବାର ରାତିରେ ଚନ୍ଦ୍ରୟାନ-୨ର ଉତ୍‌କ୍ଷେପଣକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା। କ୍ରାୟୋଜେନିକ୍‌ ଇଞ୍ଜିନ୍‌ ଏବଂ ଚନ୍ଦ୍ରୟାନ-୨କୁ ସଂଯୋଗ କରୁଥିବା ଯାନ ମଧ୍ୟରେ ଆବଶ୍ୟକ ଚାପ ସୃଷ୍ଟି ହେଉ ନ ଥିବାରୁ ଉତ୍‌କ୍ଷେପଣରେ ଅସୁବିଧା ଉପୁଜିବା ଆଶଙ୍କାକୁ ଦୃଷ୍ଟିରେ ରଖି ଶେଷ ମୁହୂର୍ତ୍ତରେ ଏହାକୁ ବନ୍ଦ କରିଦିଆଯାଇଛି। ଏହାର ଉତ୍‌କ୍ଷେପଣ ଅକ୍ଟୋବର ୧୦ରୁ ୨୬ ମଧ୍ୟରେ ହେବା ଯଥେଷ୍ଟ ସମ୍ଭାବନା ଅଛି।

Share