ଚନ୍ଦ୍ରୟାନ-୨ ବିକ୍ରମ ଲ୍ୟାଣ୍ଡର ଉଭାନ୍‌

ଓ୍ବାଶିଂଟନ: ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରୟାନ-୨ ବିକ୍ରମ ଲ୍ୟାଣ୍ଡରର ପତ୍ତା ମିଳୁନାହିଁ। ବହୁ ପ୍ରୟାସ ସତ୍ତ୍ୱେ ନାସା ଫେଲ୍‌ ମାରିଛି। ଏହାର ଫଟୋ ଉଠାଇବା ଲାଗି ପ୍ରୟାସ କରାଯାଇଥିଲେ ହେଁ ଟେର୍‌ ମିଳୁନାହିଁ। ଗତ ସେପ୍ଟେମ୍ବର ୭ରେ ଭାରତର ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ ନେଇ ଆଶା କରାଯାଇଥିବାବେଳେ ଏହା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଚନ୍ଦ୍ର ସର୍ବେକ୍ଷଣ ଅର୍ବିଟର ଗତ ୧୪ ତାରିଖରେ ବିକ୍ରମ ଲ୍ୟାଣ୍ଡରର ଫଟୋ ଉଠାଇବା ଲାଗି ତଲାସି କରିଥିବାବେଳେ ଚନ୍ଦ୍ରପୃଷ୍ଠରୁ ଖାଲିହାତରେ ଫେରିଥିଲା। ଲ୍ୟାଣ୍ଡରର କୌଣସି ସନ୍ଧାନ ନ ମିଳିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ପାଲଟିଛି ବୋଲି ପ୍ରୋଜେକ୍ଟ ସାଇଣ୍ଟିଷ୍ଟ ନୋହ ଏଡ୍‌ଓ୍ବାର୍ଡ ପେଟ୍ରୋ ପ୍ରକାଶ କରିଛନ୍ତି। କ୍ୟାମେରା ଟିମ୍‌ ସଯତ୍ନ ଲ୍ୟାଣ୍ଡିଂ ଏରିଆ ସର୍ଚ୍ଚ କରିଥିବା ସେ କହିଛନ୍ତି। ହାର୍ଡ ଲ୍ୟାଣ୍ଡିଂ ପରେ ବିକ୍ରମ କେଉଁଆଡ଼େ ଛିଟିକି ପଡ଼ିଥିବା ସନ୍ଦେହ କରାଯାଉଛି। କିମ୍ବା ସର୍ଚ୍ଚ ଅପରେଶନ ବାହାରେ ଏହା ରହିଛି। ସେପ୍ଟେମ୍ବର ୧୭ରେ ମଧ୍ୟ ହାଇ ରିଜୋଲ୍ୟୁଶନ ଇମେଜ୍‌ ଅଣାଯାଇଥିଲେ ବି କିଛି ସଫଳତା ମିଳିନାହିଁ। ଏନେଇ ଅଧିକ ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଥିବା ପେଟ୍ରୋ କହିଛନ୍ତି।

Share