ଚମକାଇଦେଲେ କୁନି ମଡେଲ୍‌

ଭୁବନେଶ୍ୱର,୭।୨(ବ୍ୟୁରୋ): ଦେଖିବାକୁ ଛୋଟ। ହେଲେ ର଼୍ୟାମ୍ପ୍‌ରେ ସେମାନଙ୍କ ଚାଲି ପ୍ରଫେଶନାଲ ମଡେଲମାନଙ୍କୁ ବି ପଛରେ ପକାଇ ଦେଇଥିଲା। ଦୃଢ଼ ମନୋବଳ ସହ ଆଗଧାଡ଼ିର ମଡେଲ୍‌ଙ୍କ ଭଳି ର଼୍ୟାମ୍ପ୍‌ ଓ୍ବାକ୍‌ କରି ସେମାନେ ଉପସ୍ଥିତ ଦର୍ଶକଙ୍କୁ ଚମକାଇ ଦେଇଥିଲେ। ଓଡ଼ିଶା ଆର୍ଟ ଆଣ୍ଡ୍‌ କଲ୍‌ଚର ଫାଉଣ୍ଡେଶନ ତରଫରୁ ଗୁରୁବାର ସ୍ଥାନୀୟ ହୋଟେଲରେ ଆୟୋଜିତ ଫ୍ୟାଶନ ଶୋ ‘ନାୟକୀ’ରେ ଏଭଳି କୁନି ମଡେଲଙ୍କୁ ର଼୍ୟାମ୍ପ୍‌ରେ ଦେଖିବାକୁ ମିଳିଥିଲା। ଓଡ଼ିଶାର କଳା ଓ ସଂସ୍କୃତିକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଆୟୋଜିତ ଫ୍ୟାଶନ ଶୋ’ରେ ଓଡ଼ିଶାରୁ ବଛା ବଛା ୧୦୦ ମଡେଲ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଶୁଭଶ୍ରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦ୍‌ଘାଟନ କରିଥିଲେ। ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ଅତିଥିଭାବେ ଯୋଗଦେଇ ଖଦି ତଥା ପାରମ୍ପରିକ ବସ୍ତ୍ରରଆବଶ୍ୟକତା ସମ୍ପର୍କରେ କହିଥିଲେ।
ଏହି ଅବସରରେ ‘ବିଭାବରୀ’ ଏବଂ ‘ବସ୍ତ୍ରମ୍‌’ ଦ୍ୱାରା ପାରମ୍ପରିକ ଓଡ଼ିଶା ହସ୍ତତନ୍ତରେ ପ୍ରସ୍ତୁତ ଶାଢ଼ି ଏବଂ ଡିଜାଇନର୍‌ ପୋଷାକ ପିନ୍ଧି ମଡେଲମାନେ ର଼୍ୟାମ୍ପ୍‌ରେ ଚାଲିଥିଲେ। ୧୦୦ ପ୍ରତିଯୋଗୀଙ୍କ ମଧ୍ୟରୁ ୧୦ଜଣଙ୍କୁ ଅନ୍ତିମ ପର୍ଯ୍ୟାୟ ପାଇଁ ବିଚାରକ ମଣ୍ଡଳୀର ସଦସ୍ୟମାନେ ବାଛିଥିଲେ। ଉକ୍ତ ପ୍ରତିଯୋଗୀଙ୍କ ସହ କୁନି କୁନି ପିଲାମାନେ ଖଦି ଓ ହ୍ୟାଣ୍ଡଲୁମ୍‌ ପୋଷାକ ପରିଧାନ କରି ର଼୍ୟାମ୍ପରେ ଚାଲିଥିଲେ। ସଂସ୍ଥାର ନିର୍ଦ୍ଦେଶିକା ଲୋପାମୁଦ୍ରା ପ୍ରଧାନ କହିଥିଲେ, ଓଡ଼ିଆ ଘରର ବିବାହ ଉତ୍ସବରେ ନବବଧୂ ଏବଂ ବର ଖଦି ଓ ହସ୍ତତନ୍ତର ବ୍ୟବହାର କଲେ ଏବଂ ସରକାରୀସ୍ତରରେ ସ୍କୁଲ ଓ କଲେଜ ପିଲାଙ୍କ ୟୁନିଫର୍ମ ଖଦି ଓ ହସ୍ତତନ୍ତରେ ପ୍ରସ୍ତୁତ କଲେ ଆମ ହସ୍ତତନ୍ତର ବିକାଶ ହୋଇପାରିବ। ଏହି ଅବସରରେ ଶୋ’ଷ୍ଟପର ତଥା ମୁମ୍ବାଇର ଜଣାଶୁଣା ମଡେଲ୍‌ ରଜତ ଟୋକାସ ଏବଂ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଶିବାନୀ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ। ସେହିଭଳି ଓଡ଼ିଆଣୀ ବଧୂ ବେଶରେ ଜୁନିୟର ମଡେଲ ବିଜେତା ଶତଭିଷା ଶୋ’ ଷ୍ଟପର୍‌ଭାବେ ରାମ୍ପ୍‌ ଓ୍ବାକ୍‌ କରି ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଶେଷରେ ଶ୍ରେଷ୍ଠ ୩ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜନ୍‌ ଅଜୟ ଫ୍ୟାଶନ ଶୋ’ କୋରିଓଗ୍ରାଫି କରିଥିଲେ।

Share