ଚମ୍ପକେଶ୍ୱର ମନ୍ଦିରରୁ ବାସନ ଚୋରି ଘଟଣା: ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ

ବଡ଼ବିଲ,୨୫।୨ (ସ୍ବ.ପ୍ର.)- କେନ୍ଦୁଝର ଜିଲା ବଲାଣୀ ଥାନା ତଥା ବଡବିଲ ପୌରାଂଚଳ ମାଟକାମବେଡାସ୍ଥିତ ଚମ୍ପକେଶ୍ୱର ମନ୍ଦିରରୁ ବାସନକୁସନ ଚୋରି ମାମଲାର ଜେଏମ୍‌ଏଫ୍‌ସି କୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି। ଏହି ଘଟଣାରେ ବିଚାରାଧୀନ କଏଦୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୮୦୦ ଟଙ୍କା ଜରିମାନାରେ କୋର୍ଟ ଦଣ୍ଡିତ କରିଛନ୍ତି। ସେ ହେଲେ ବଲାଣୀସ୍ଥିତ ଏମ୍‌ସି ହଟିଂ ଅଂଚଳର ସନାତନ ପୂର୍ତ୍ତି।

ସୂଚନାନୁଯାୟୀ, ମାଟକାମବେଡାସ୍ଥିତ ଚମ୍ପକେଶ୍ୱର ମନ୍ଦିରର ରୋଷେଇ ସାମଗ୍ରୀଥିବା ଗୋଦାମ ଘରୁ ୨୦୧୯, ଅକ୍ଟୋବର ୨୮ ତାରିଖ ଭୋର ସମୟରେ ବାସନକୁସନ ଚୋରି ହୋଇଥିଲା। ଏ ନେଇ ବଲାଣୀ ଥାନାରେ ସେହିଦିନ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ କେଶ ନଂ. ୭୩/୨୦୧୯, ଦଫା ୩୮୦/୪୫୭ ଆଇପିସିରେ ଏକ ମାମଲା ରୁଜୁ କରି ସନାତନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏ ନେଇ ବଡବିଲ ଜେଏମ୍‌ଏଫ୍‌ସି କୋର୍ଟ ଜିଆର କେଶ (ନଂ.୬୬୮/୨୦୧୯)ରେ ବିଚାରାଧୀନ ରହିଥିଲା। ଅଭିଯୁକ୍ତ ସନାତନ ଜାମିନରେ ମୁକୁଳିପାରି ନ ଥିବାବେଳେ ବିଚାରପତି ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟ ଦଫା ଅନୁଯାୟୀ ଦୋଷୀଙ୍କୁ ମୋଟ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ମୋଟ ୮୦୦ ଟଙ୍କାର ଜରିମାନା କରିଥିବା ଥିବା ରାୟ ଶୁଣାଇଛନ୍ତି।