ଚମ୍ପୁଆରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ସ୍ଥାନ ଚିହ୍ନଟ

ଚମ୍ପୁଆ,୧୧।୮(ଡି.ଏନ.ଏ.)- ଚମ୍ପୁଆ ସଦର ମହକୁମାର ରାମଲାଠାରେ ନିର୍ମାଣ ହେବାକୁଥିବା କେନ୍ଦ୍ରୀୟ ବିଦ୍ୟାଳୟର ଆଶା ଚମ୍ପୁଆବାସୀଙ୍କ ମନରୁ ଲିଭିବାକୁ ବସିଥିବା ବେଳେ ଶନିବାର ଜାଗା ଚିହ୍ନଟ ପ୍ରକ୍ରିୟା ଶେଷ କରାଯାଇଛି। ଫଳରେ ପୁଣି କେନ୍ଦ୍ରୀୟ ବିଦ୍ୟାଳୟର ଆଶା ଉଜ୍ଜୀବିତ ହୋଇଛି। ପ୍ରଶାସନ ଓ ବିକାଶ ପରିଷଦର ଉପସ୍ଥିତିରେ ନିରୂପଣ କରାଯାଇଥିବା ସ୍ଥାନରେ ଖୁଣ୍ଟ ପୋତା କାର୍ଯ୍ୟ ଶେଷ କରାଯାଇଛି। ଆଗାମୀ ଦିନରେ ଭୁବନେଶ୍ୱରରୁ ଏକ ଦଳ ଏହି ନିରୂପଣ ସ୍ଥାନ ପରିଦର୍ଶନ କରିବେ ବୋଲି ଜଣାପଡିଛି। ସୂଚନା ଅନୁସାରେ ୨୦୧୬-୧୭ ମସିହାରେ ଚମ୍ପୁଆରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ବିଧିବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ତତ୍କାଳୀନ ଉପଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଆବଶ୍ୟକ ଜମି ଯୋଗାଇଦେବାକୁ ଜିଲା ପ୍ରଶାସନ ନିର୍ଦ୍ଦେଶ ପରେ ଚମ୍ପୁଆ ତହସିଲଦାର ନାରାୟଣ ଚନ୍ଦ୍ର ଧଳ ରାମଲାଠାରେ ଜମି ଚିହ୍ନଟ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟଠାରେ ଆରମ୍ଭ କରିବା ପାଇଁ ଆବଶ୍ୟକ ଶ୍ରେଣୀଗୃହ ଓ ଅଫିସ ଗୃହ ଯୋଗାଇ ଦେବାକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପଦ୍ମନାଭ ପ୍ରଧାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ପରେ କେତେକ ଆନୁଷଙ୍ଗିକ ଅବ୍ୟବସ୍ଥା ପାଇଁ ଏହା ଆରମ୍ଭ କରାଯାଇ ପାରି ନ ଥିଲା। ଶନିବାର ତହସିଲଦାର ଆଲୋକ କୁମାର ପଟେଲ, ବିକାଶ ପରିଷଦର ସଭାପତି ଧନୁର୍ଜୟ ଲାଗୁରୀ, ସାମାଜିକ କର୍ମୀ ଗଣେଶ ଖିଲାର, ସୁବାସ ରାମ, ରାମକୃଷ୍ଣ ଜିତ, ରେଭେନ୍ୟୁ ସୁପରଭାଇଜର ଶୁଭକାନ୍ତ କର, ରବୀନ ପ୍ରଧାନ, ଦିନେଶ ମହାନ୍ତ, ଅମିତାଭ ପ୍ରଧାନ, ଶାନ୍ତନୁ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ଥାନଟିକୁ ସିମେଣ୍ଟ ଖୁଣ୍ଟ ଦ୍ୱାରା ଚିହ୍ନଟ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଅଢେଇ ଏକର ଜମିର କିସମ ପରିବର୍ତ୍ତନ କରାଯାଇସାରିଛି ଏବଂ ଆଉ ସାଢେ ୫ ଏକର ସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଚିହ୍ନଟ ପରେ ଏହାର ଏକ ମ୍ୟାପ ରାଜ୍ୟ କାର୍ଯ୍ୟାଳୟକୁ ପଠାଯିବା ପରେ ଏକ ଦଳ ଏହି ସ୍ଥାନ ପରିଦର୍ଶନ କରିବେ ବୋଲି ତହସିଲଦାର ପଟେଲ ସୂଚନା ଦେଇଛନ୍ତି।