ଚମ୍ପୁଆ ଥାନା ଅଞ୍ଚଳରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୧୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳରୁ ନିଖୋଜ ବ୍ୟକ୍ତି ସଞ୍ଜୟ ସାହୁଙ୍କ ମୃତଦେହ ଶନିବାର ପୋଲିସ ତଡୁଆ ବାହାଳି ଜଙ୍ଗଲରୁ ଉଦ୍ଧାର କରିଛି।
ପ୍ରକାଶ ଯେ, ସଞ୍ଜୟଙ୍କ ଘର ନୟାଗଡ଼ ଜିଲା ବାସୁଦେବପୁର ଗାଁରେ ହୋଇଥିବା ବେଳେ ସେ ଚମ୍ପୁଆରେ ରହି ସୁପରଭାଇଜର ଭାବେ କାମ କରୁଥିଲେ । ଗତ ୧୪ ତାରିଖ ରାତିରେ ମାଲ୍‌ ଦେବାକୁ କହି ୨ ବ୍ୟକ୍ତି ତାଙ୍କୁ ଘରୁ ଡାକି ନେଇଥିଲେ । ଏହା ପରଠାରୁ ତାଙ୍କର ଆଉ ଖୋଜଖବର ନ ଥିଲା। ସେ ନିଖୋଜ ଥିବାନେଇ ସଞ୍ଜୟଙ୍କ ପୁଅ ଦୁର୍ଯ୍ୟୋଧନ ଚମ୍ପୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଚମ୍ପୁଆ ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ କୁହନ୍ତି, ସଞ୍ଜୟଙ୍କ ମୃତଦେହ ତଡୁଆ ବାହାଳି ଜଙ୍ଗଲରୁ ଜବତ ହୋଇଛି। ଏହା ଏକ ହତ୍ୟା ମାମଲା । ଏଣୁ ଶବ ବ୍ୟବଚ୍ଛେଦ ପରେ ହତ୍ୟା କିପରି ହୋଇଛି ଜଣାପଡିବ। ଘଟଣାର ଅଧିକ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି।