Advertisement

ଚମ୍ପୁଆ ବିଧାୟିକାଙ୍କ ଅଚାନକ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ: ତାଲା ପଡ଼ିଥିବା ଦେଖି ବିରକ୍ତି ପ୍ରକାଶ

ଯୋଡ଼ା,୧୨।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ରବିବାର ଅପରାହ୍ନ ପ୍ରାୟ ୩ଟାରେ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ଅଚାନକ ଗସ୍ତ କରିଥିଲେ। ମାତ୍ର ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପଡ଼ିଥିବା ଦେଖି ସେ ବିରକ୍ତି ପ୍ରକାଶ କରିଥିଲେ। ଏଥିସହ ସେଠାରେ ଥିବା ପାନୀୟ ଜଳ ପ୍ରକଳ୍ପରେ ମଧ୍ୟ ତାଲା ପଡ଼ିଥିଲା। ରୋଗୀମାନେ ପାନୀୟ ଜଳ ପାଇଁ ହଇରାଣ ହରକତ ହେଉଥିବା ଦେଖିବାକୁ ପାଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ କର୍ମଚାରୀ ଅନୁପସ୍ଥିତ ଥିବା ଦେଖି ବିଧାୟିକା କ୍ଷୁବ୍ଧ ହୋଇଥିଲେ। ପରେ ଡାକ୍ତରଖାନାର ସ୍ବାସ୍ଥ୍ୟସେବା ନେଇ ରୋଗୀଙ୍କ ସହ କଥାବାର୍ତ୍ତା କରିଥିଲେ। ରୋଗୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ମିଳୁ ନ ଥିବା ଅଭିଯୋଗ ହୋଇଥିଲା। ବିଧାୟିକାଙ୍କ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ଖବର ପାଇବା ପରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନେ ପହଞ୍ଚିଥିଲେ । ସ୍ବାସ୍ଥ୍ୟକେନ୍ଦ୍ରର ପରିବେଶ ମଧ୍ୟ ଅସ୍ବାସ୍ଥ୍ୟକର ଥିଲା। ଅଳିଆ, ଆବର୍ଜନା ଏଣେତେଣେ ପଡିଥିବା ଦେଖିବାକୁ ମିଳିଥିଲା। ସ୍ବାସ୍ଥ୍ୟକେନ୍ଦ୍ର ପରିବେଶ ସଫାସୁତୁରା ରଖିବା ସହ ରୋଗୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share