ଚର୍ଚ୍ଚରେ ଚାଲିଥିଲା ସାମୂହିକ ପ୍ରାର୍ଥନା: ପରିଚାଳକ ସମେତ ୮ ଗିରଫ

କାଶୀନଗର,୫।୪(ଡି.ଏନ୍.ଏ.): କରୋନାକୁ ପ୍ରତିହତ କରିବା ପାଇଁ ଲକ୍ ଡାଉନ ଘୋଷଣା କରାଯାଇଛି। ଘରୁ ନ ବାହାରିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ତଥାପି ଲୋକେ ସଚେତନ ହେବାକୁ ନାରାଜ। ଗଜପତି ଜିଲା କାଶୀନଗର ଥାନା ଅଞ୍ଚଳରେ ରବିବାର ଏଭଳି କିଛି ଘଟିଛି। ଧର୍ମ ଅନୁଷ୍ଠାନରେ ଏକାଠି ନ ହେବା ପାଇଁ କୁହାଯାଇଥିଲେ ମଧ୍ୟ ଶିଆଳି ପଞ୍ଚାୟତ ଅଧୀନ ପାଲମାନଗୁଡ଼ା ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା ସଭାରେ ସାମିଲ ହୋଇ ୮ଜଣ ଗିରଫ ହୋଇଛନ୍ତି। ପ୍ରାର୍ଥନା ଚାଲିଥିବା ନେଇ କାଶୀନଗର ପୋଲିସ ସୂଚନା ପାଇ ଏସ୍ଆଇ ଟି. ରାଙ୍ଗାବାବୁ, ରତିରଞ୍ଜନ ନାୟକ ଏବଂ ଟିମ ସେଠାରେ ପହଞ୍ଚିଥିଲେ। ପୋଲିସକୁ ଦେଖି ଉପସ୍ଥିତ ଥିବା ୪୦ରୁ ଅଧିକ ଲୋକ ଏଣେତେଣେ ଦୌଡିଥିଲେ। ତେବେ ଚର୍ଚ୍ଚ ପରିଚାଳକ ଓ ଅନ୍ୟ ୭ ଜଣଙ୍କୁ ପୋଲିସ ଗିରଫ କରିଛି। ଏ ନେଇ ଥାନାରେ କେସ ନଂ. ୩୫/୨୦ ରେ ଏକ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିିଛି।