Advertisement
Categories: ରାୟଗଡା

ଚର୍ଚ୍ଚରେ ଭଙ୍ଗାରୁଜା ଘଟଣା: ୭ ଜଣ ନିର୍ଦ୍ଦୋଷରେ ଖଲାସ

ଗୁଣପୁର,୧୭।୪(ଡି.ଏନ୍‌.ଏ.):ରାୟଗଡା ଜିଲା ରାମନାଗୁଡା ବ୍ଲକ ସୁଲୁଡିସ୍ଥିତ କାଥୋଲିକ ଚର୍ଚ୍ଚରେ ୨୦୦୮ ଅଗଷ୍ଟ ୨୫ରେ ପ୍ରାୟ ୫୦ରୁ ୬୦ ଜଣ ଲୋକ ପଶି ଜିନିଷ ପତ୍ର ଭଙ୍ଗାରୁଜା କରିବା ସହ ଏକ ବାଇକ୍‌ ପୋଡି ଦେଇଥିଲେ। ଏହି ଘଟଣା ଗୁଣପୁର ଏଡିଜେଙ୍କ କୋର୍ଟରେ ବିଚାରାଧୀନ ଥିଲା। ବୁଧବାର ଏହି ଘଟଣାର ରାୟ ପ୍ରକାଶ ପାଇଛି। ଉକ୍ତ ଘଟଣାରେ ୭ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଅଭିଯୁକ୍ତଙ୍କ ପାଇଁ ବିଶ୍ୱନାଥ ସାହୁ ଏବଂ ସରକାରଙ୍କ ପକ୍ଷରୁ କୃଷ୍ଣଚନ୍ଦ୍ର ସେନାପତି ମାମଲା ପରିଚାଳନା କରୁଥିଲେ।
ପ୍ରକାଶ ଯେ, ୨୦୦୮ ଅଗଷ୍ଟ ୨୫ରେ ସୁଲୁଡି ଗ୍ରାମସ୍ଥିତ ଚର୍ଚ୍ଚକୁ ୫୦ରୁ ୬୦ ଜଣ ଲୋକ ପଶି ଜିନିଷ ପତ୍ର ଭାଙ୍ଗିବା ଓ ଏକ ବାଇକ୍‌ ପୋଡି ଦେଇଥିବା ନେଇ ଗୁଣପୁର ଥାନାରେ ଅଭିଯୋଗ ହୋଇଥିଲା। ୨୭ ତାରିଖରେ ଚର୍ଚ୍ଚର ଫାଦର ମାଥ୍ୟୁ ନାୟକଙ୍କ ଅଭିଯୋଗ କ୍ରମେ ପୋଲିସ ହୃଷୀକେଶ ପାତ୍ର, ବାଳକୃଷ୍ଣ ପଣ୍ଡା, ନବୀନ ଚନ୍ଦ୍ର ନାୟକ, ବୃନ୍ଦାବନ ସେନାପତି, ଉମା ଶଙ୍କର କଂସବେହେରା, କେ.ଗୌରୀ ଏବଂ ଅମିତ କୁମାର ସାହୁଙ୍କ ନାମରେ ମାମଲା ରୁଜୁ କରିଥିଲା। ଏହି ମାମଲାର ବିଚାର ଗୁଣପୁର କୋର୍ଟରେ ହୋଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଗୁଣପୁର ଏଡିଜେ ନିଶୀଥ ନିଶ ୭ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲା ରୁଜୁ ହେବା ପରେ ଅଭିଯୁକ୍ତମାନେ ଜାମିନରେ ଥିଲେ। ସୂଚନାଯୋଗ୍ୟ, ୨୦୦୮ ଅଗଷ୍ଟ ୨୩ରେ ଜନ୍ମାଷ୍ଟମୀ ଅବସରରେ କନ୍ଧମାଳର ଜଲେଶପଟ୍ଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ଆତତାୟୀମାନେ ହତ୍ୟା କରିଥିଲେ। ଓଡିଶାର ବିଭିନ୍ନ ସ୍ଥାନରେ ଏହା ପ୍ରଭାବରେ ହିଂସା ଘଟିଥିଲା। ଏହି ହତ୍ୟାକାଣ୍ଡର ପ୍ରଭାବ ସେତେବେଳେ ରାୟଗଡା ଜିଲାର ବିଭିନ୍ନ ସ୍ଥାନରେ ମଧ୍ୟ ଦେଖିବାକୁ ମିଳିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel