Categories: ଖେଳ

ଚର୍ଚ୍ଚାରେ କୋହଲିଙ୍କ ନୂଆ ପୋଷ୍ଟ

ହାମିଲଟନ୍‌, ୧୭।୨- ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଟି୨୦ ଓ ଦିନିକିଆ ସିରିଜ ଖେଳିସାରିବା ପରେ ଏବେ ଟେଷ୍ଟ ଲାଗି ପ୍ରସ୍ତୁତ ହେଉଛି। ସ୍ଥାନୀୟ ସେଡନ ପାର୍କରେ ନ୍ୟୁଜିଲାଣ୍ଡ ଏକାଦଶ ବିପକ୍ଷରେ ଅନୁଷ୍ଠିତ ୩ ଦିନିଆ ଅଭ୍ୟାସମୂଳକ ମ୍ୟାଚ୍‌ ରବିବାର ଡ୍ର’ରେ ଶେଷ ହୋଇଛି। ତେବେ ଏହି ଅବସରରେ ଅଧିନାୟକ ବିରାଟ କୋହଲି ସାଥୀ ଖେଳାଳି ମହମ୍ମଦ ସାମି ଓ ଯୁବ ଓପନର୍‌ ପୃଥ୍ବୀ ଶ’ଙ୍କ ସହ ତାଙ୍କ ଟୁଇଟର୍‌ ଆକାଉଣ୍ଡରେ ପୋଷ୍ଟ କରିଥିବା ଏକ ଫଟୋ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହି ଫଟୋରେ ତିନି କ୍ରିକେଟର୍‌ ବ୍ୟଙ୍ଗତ୍ମକ ଶୈଳୀରେ ଅନେଇ ରହିଥିବାବେଳେ ଜିଭକୁ ବାହାରକୁ କାଢ଼ିଛନ୍ତି। ସେହିଭଳି କ୍ୟାପ୍‌ଶନରେ ‘ନୂଆ ପୋଷ୍ଟ, ସୁନ୍ଦର ଦୋସ୍ତ’ ବୋଲି ଲେଖାଯାଇଛି। ଏହାକୁ ନେଇ ଟୁଇଟର୍‌ରେ ଅନେକ ପ୍ରଶଂସକ ନାନା ମତ ରଖିଛନ୍ତି। ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ୫୨ ହଜାରରୁ ଊର୍ଦ୍ଧ୍ୱ ମଧ୍ୟ ପସନ୍ଦ କରିଛନ୍ତି। ପ୍ରକାଶଯୋଗ୍ୟ, ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆସନ୍ତା ୨୧ରୁ ଓ୍ବେଲିଂଟନରେ ଆରମ୍ଭ ହେବ।

Share