Categories: ଖେଳ

ଚର୍ଚ୍ଚାରେ ପ୍ରଜ୍ଞା ଓଝାଙ୍କ ଟୁଇଟ୍‌

ହାଇଦ୍ରାବାଦ, ୨୦।୪- ଇଂଲଣ୍ଡରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ନିକଟରେ ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା। ଅଭିଜ୍ଞ ହାଇଦ୍ରାବାଦୀ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁଙ୍କୁ ଏହି ଦଳରେ ସ୍ଥାନ ମିଳି ନ ଥିଲା। ରାୟୁଡୁଙ୍କୁ ବିଶ୍ୱକପ୍‌ ଦଳରେ ଅଣଦେଖା ନେଇ ବହୁ ପୂର୍ବତନ କ୍ରିକେଟର ନିରାଶାବ୍ୟକ୍ତ କରିବା ସହ ଚୟନ ପ୍ରକିୟା ଉପରେ ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ବତ୍ତର୍ମାନ ଆଲୋଚନା ଥମି ନ ଥିବାବେଳେ ଭାରତୀୟ କ୍ରିକେଟର ତଥା ବାମହାତୀ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝାଙ୍କ ଏକ ଟୁଇଟ୍‌ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି। ଏହି ଟୁଇଟ୍‌ ଭବିଷ୍ୟତରେ ଓଝାଙ୍କୁ ଅଡ଼ୁଆରେ ପକାଇବାର ସମ୍ଭାବନା ମଧ୍ୟ ରହିଛି। ରାୟୁଡ଼ୁ ଚୟନ ନ ହେବା ପଛରେ ହାଇଦ୍ରାବାଦ ଖେଳାଳିଙ୍କ ବିରୋଧରେ ଷଡ଼ଯନ୍ତ୍ର ହେଉଛି ଏବଂ ସେ ମଧ୍ୟ ସମାନ ପରିସ୍ଥିତିର ସାମ୍ନା କରିଥିଲେ ବୋଲି ଟୁଇଟ୍‌ରେ ଓଝା କହିଛନ୍ତି। ଓଝାଙ୍କ ଏହି ଟୁଇଟ୍‌ ଏବେ ଚୟନ ପ୍ରକିୟା ଉପରେ ପ୍ରଶ୍ୱବାଚୀ ସୃଷ୍ଟି କରିଛି। ହାଇଦ୍ରାବାଦ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ୩୨ ବର୍ଷୀୟ ଓଝା କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଥିବାବେଳେ ଜାତୀୟ ଦଳରୁ ବାଦ୍‌ ପଡ଼ିଥିଲେ। ମୁମ୍ବାଇରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ସଚିନ ତେନ୍ଦୁଲକରଙ୍କ ବିଦାୟୀ ଟେଷ୍ଟ ମ୍ୟାଚ୍‌ରେ ସେ ୧୦ ଉଇକେଟ୍‌ ଅକ୍ତିଆର କରିବା ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୨୪ ଟେଷ୍ଟ ମ୍ୟାଚ୍‌ରୁ ଓଝା ୧୧୩ ଉଇକେଟ୍‌ ନେଇଥିବାବେଳେ ୧୮ ଦିନିକିଆ ଓ ୬ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ୨୦୦୩ ବିଶ୍ୱକପ୍‌ ସମୟରେ ହାଇଦ୍ରାବାଦର ବ୍ୟାଟ୍ସମ୍ୟାନ ଭିଭିଏସ୍‌ ଲକ୍ଷ୍ମଣ ମଧ୍ୟ ଶ୍ରେଷ୍ଠ ଫର୍ମରେ ଥାଇ ବି ଦଳରେ ସ୍ଥାନ ନ ଥିଲେ।

Share