ଚର୍ଚ୍ଚାରେ ବାରାଣସୀର ରିକ୍ସା ଚାଳକ ମଙ୍ଗଳା

ବାରାଣସୀ,୧୭।୨: ଗୋଟିଏ ଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ବାରାଣସୀର ଜଣେ ରିକ୍ସା ଚାଳକ ମଙ୍ଗଳା କେଭଟଙ୍କ ଘରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ। ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ରିକ୍ସା ଚାଳକ ଜଣକ କିଏ ବୋଲି ଏବେ ଅନେକ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ତେବେ ଏହି ମଙ୍ଗଳା ପ୍ରସାଦ କେଭଟ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କୁ ଗତବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ହାତରେ ଭାରତୀୟ ଜନତା ପାର୍ଟି(ଭାଜପା)ର ସଦସ୍ୟତା ପ୍ରଦାନ କରିଥିଲେ। ଭାଜପାର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଗୁଜରାଟରେ ମଞ୍ଚ ଉପରକୁ ଡାକି ଯେଉଁ ୫ ଜଣଙ୍କୁ ଭାଜପାର ସଦସ୍ୟତା ପ୍ରଦାନ କରାଯାଇଥିଲା ସେଥିମଧ୍ୟରୁ ଜଣେ ଥିଲେ ରିକ୍ସା ଚାଳକ ମଙ୍ଗଳା କେଭଟ। ସୂଚନାଯୋଗ୍ୟ, ମଙ୍ଗଳାଙ୍କ ଝିଅ ବାହାଘର ପାଇଁ ସେ ନିଜେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଙ୍କ ଝିଅ ବାହାଘରରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରି ଆସିଥିଲେ। ଆଉ ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଏକ ଶୁଭେଚ୍ଛା ବାର୍ତ୍ତାରେ ମଙ୍ଗଳାଙ୍କ ଝିଅ-ଜ୍ୱାଇଁଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହାକୁ ପାଇ ମଙ୍ଗଳାଙ୍କ ପରିବାର ବେଶ୍‌ ଖୁସି ହୋଇଥିଲେ।

Share