ଚର୍ଚ୍ଚାରେ ମଜ୍‌ନୁ

ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ଏବଂ ଜାଗୀ ମଙ୍ଗତ ପଣ୍ଡାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହେଉଛି ନୂଆ ଓଡ଼ିଆ ସିନେମା ‘ମିଷ୍ଟର ମଜ୍‌ନୁ’। କମେଡି ଫ୍ଲେଭର ଥିବା ଏହି ଫିଲ୍ମର ଟାଇଟଲ ଭୂମିକାରେ ଅବତୀଣ୍ଣ ହୋଇଛନ୍ତି ବାବୁସାନ୍‌। ତାଙ୍କ ଅପୋଜିଟ୍‌ରେ ଅଛନ୍ତି ତିନି ଜଣ ନାୟିକା-ଶୀତଲ, ଦିବ୍ୟା ଏବଂ ସୂର୍ଯ୍ୟମୟୀ। ଖାସ୍‌ କଥା ହେଲା, ଏହାର ନିର୍ଦ୍ଦେଶନା ସିଟ୍‌ରେ ବସିଛନ୍ତି ପୂର୍ବରୁ ବାବୁସାନଙ୍କ ଅଭିନୀତ ବେଶ୍‌ କେତୋଟି ହିଟ୍‌ ସିନେମାର ନିର୍ଦ୍ଦେଶନା ଦେଇଥିବା ଅଶୋକ ପତି। ସିନେମାଟିକୁ ଆହୁରି ଦର୍ଶକାଦୃତ କରିବାକୁ ଏଥିରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଉଛନ୍ତି ଓଡ଼ିଆ ସିନେମାର ଅନ୍ୟତମ ଲୋକପ୍ରିୟ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ତାଙ୍କ ସଂଯୋଜିତ ତଥା ବାବୁସାନ୍‌ ଅଭିନୀତ ‘ତାଟୁଓ୍ବାଲି, ନାଗିନ୍‌ ନାଗିନ୍‌, ମୋ ଚୁନି ତଳେ ବ୍ଲାକ୍‌ ମନି, ଶେହେଜାଦୀ ଓ ଶେହଜାଦୀ, ତୁ ମୋ ସାୟରୀ, ପ୍ୟାର ବାଲା ହିଚକି, ଗେଲୁ ତୁ ଚିପୁଡି ଦେଲୁ ଦିଲଟା ଏବଂ ସର୍ଜିକାଲ ଷ୍ଟ୍ରାଇକ୍‌ ବେଶ୍‌ ଶ୍ରୋତାଦୃତ ହୋଇପାରିଛି। ଅଭିଜିତ ଏବେ ‘ମିଷ୍ଟର ମଜନୁ’ର ଏକ ଜଦରଦସ୍ତ ଗୀତର କମ୍ପୋଜିଶନ୍‌ରେ ବ୍ୟସ୍ତ ଅଛନ୍ତି। ଯେହେତୁ ଗୀତଟି ଏବେ ପ୍ରସ୍ତୁତି ପର୍ଯ୍ୟାୟରେ ଅଛି ତେଣୁ ଗୀତର ପ୍ରଥମ ଧାଡି କିମ୍ବା ସେ ବିଷୟରେ ସବିଶେଷ ବିବରଣୀ ଦେବାକୁ ଉଚିତ ମନେ କରୁନି। କିନ୍ତୁ ଅଳ୍ପ ଦିନ ଭିତରେ ଏକଥା ସମ୍ପର୍କରେ ସୂଚନା ମିଳିଯିବ ଏବଂ ଏହି ଗୀତ ଫିଲ୍ମର ଅନ୍ୟତମ ଆକର୍ଷଣ ସାଜିବ ବୋଲି କହନ୍ତି ଅଭିଜିତ। ‘ମିଷ୍ଟର ମଜନୁ’ରେ ରାଇମୋହନ ମଧ୍ୟ ଏକ ଦମ୍‌ଦାର ଭୂମିକାରେ ଦର୍ଶକଙ୍କ ସାମନାକୁ ଆସିବେ। ଫିଲ୍ମଟି ଚଳିତବର୍ଷ ଦଶହରାରେ ରିଲିଜ ହେବାର ଯୋଜନା ରହିଛି।

Share