ଚର୍ଚ୍ଚାରେ ୨୦୦୦ ଟଙ୍କିଆ ନୋଟ୍‌

ଭୁବନେଶ୍ୱର, ୧୭।୧୨(ବ୍ୟୁରୋ): ୮ ନଭେମ୍ବର ୨୦୧୬ରେ କେନ୍ଦ୍ର ସରକାର ବିମୁଦ୍ରୀକରଣ ଲାଗୁ କରିବା ପରେ ୧୦୦୦ ଓ ୫୦୦ ଟଙ୍କିଆ ବଡ଼ ନୋଟ୍‌ ରାତାରାତି ଅଚଳ ହୋଇଯାଇଥିଲା। ଦେଶବ୍ୟାପୀ ଏହାକୁ ନେଇ ଚହଳ ପଡ଼ିଯିବା ପରେ ଜନସାଧାରଣ ନିଜ ପାଖରେ ରଖିଥିବା ଏହିସବୁ ନୋଟକୁ ଧରି ବ୍ୟାଙ୍କକୁ ଦୌଡ଼ିଥିଲେ। ସେତେବେଳର ସେହି ବଡ଼ ନୋଟ୍‌ର ବିକଳ୍ପ ଭାବେ ଆସିଲା ଗୋଲାପୀ ରଙ୍ଗର ୨୦୦୦ ଟଙ୍କିଆ କାଗଜ ଟଙ୍କା। ଏହି କିଛି ମାସ ହେବ ବିଭିନ୍ନ ସୋସିଆଲ ମିଡିଆରେ ଏହି ୨୦୦୦ ଟଙ୍କିଆ ନୋଟ୍‌ର ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଚାଲିଛି। କୁହାଯାଉଛି, ଖୁବ୍‌ଶୀଘ୍ର ଏହି ଟଙ୍କାକୁ ବନ୍ଦ କରିଦିଆଯିବ। ଏଟିଏମ୍‌ରେ ଏହା ଉପଲବ୍ଧ ହେବ ନାହିଁ। ଏହା ବଦଳରେ ପୁଣି ନୂଆ ୧୦୦୦ ଟଙ୍କିଆ ନୋଟ୍‌ ବଜାରକୁ ଆସିବ। ଚାରିଆଡ଼େ ୨୦୦୦ ଟଙ୍କିଆ ନୋଟ୍‌କୁ ନେଇ ଚର୍ଚ୍ଚା ଜୋର ଧରୁଥିବାରୁ ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ିବା ସ୍ବାଭାବିକ।
ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌ ଓ ୟୁଟ୍ୟୁବ୍‌ରେ ଏ ବିଷୟ ଘୂରି ବୁଲୁଥିବାରୁ ଏହାର ସତ୍ୟତା ନେଇ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ଠାରୁ ଆର୍‌ଟିଆଇ ମାଧ୍ୟମରେ ତଥ୍ୟ ଲୋଡ଼ାଯାଇଥିଲା। ଶୀର୍ଷ ବ୍ୟାଙ୍କ କହିଥିଲେ ଯେ, ସେଭଳି କିଛି ନିଷ୍ପତ୍ତି ନିଆଯାଇ ନାହିଁ। ଏହା ଏକ ଗୁଜବ। ବରଂ ୨୦୦୦ ଟଙ୍କିଆ ନୋଟ୍‌ ପ୍ରିଣ୍ଟିଂ ବନ୍ଦ ରହିଛି। ତେଣୁ ଏଭଳି ଖବରକୁ ନେଇ ଲୋକେ ଭୟଭୀତ ନ ହୁଅନ୍ତୁ ବୋଲି ଆର୍‌ବିଆଇ ପକ୍ଷରୁ କୁହାଯାଇଛି। ବିଶେଷଜ୍ଞଙ୍କ ମତରେ ଲୋକେ ଏ ବିଷୟକୁ ନେଇ ଡରିଯାଉଛନ୍ତି । କାରଣ ଜନସାଧାରଣ ବିମୁଦ୍ରୀକରଣ ବେଳେ ଟଙ୍କା ବଦଳାଇବା ପାଇଁ ଭୋଗିଥିବା ଯନ୍ତ୍ରଣାକୁ ଭୁଲିପାରି ନାହାନ୍ତି। ବର୍ତ୍ତମାନ ଦେଶର ଆର୍ଥିକ ପରିସ୍ଥିତି ଭଲ ନ ଥିବା ବେଳେ ଏଭଳି ବିଷୟ ଯେକେହି ଶୁଣିଲେ ଶଙ୍କା ଜାତ ହୋଇଯାଉଛି। କେତେକେ କହୁଛନ୍ତି ଯେ, ୨୦୦୦ ଟଙ୍କିଆ ନୋଟ୍‌କୁ ନେଇ ଗୁଜବ ହେଉଥିଲେ ମଧ୍ୟ ଭିତରେ କିଛି କଠୋର ଆର୍ଥିକ ନିଷ୍ପତ୍ତି ନିଆଯାଉଥାଇପାରେ। ନ ହେଲେ ବାରମ୍ବାର କାହିଁକି ଏପରି ଖବର ଶୁଣିବାକୁ ମିଳୁଛି।

Share