ଚଳଚ୍ଚିତ୍ର ‘ଲଭ୍‌ ଟ୍ବିଷ୍ଟ’ରେ ଦେବ୍‌ଙ୍କୁ ମିଳିଛି ମନଲାଖି ଭୂମିକା, ନାୟିକା ସାଜିଛନ୍ତି ମନସ୍ମିତା

ଜଣେ ଯାହା ଚାହେଁ ତାହା ଅନେକ ସମୟରେ ସହଜରେ ପୂରଣ ହୋଇ ନ ଥାଏ। ଅନ୍ୟପକ୍ଷରେ ଏପରି ସ୍ବପ୍ନ ସାକାର ହେବାକୁ ଅଳ୍ପ ସମୟ ଲାଗିଥାଏ। ଠିକ୍‌ ସେହିପରି ନିଜର ପ୍ରଥମ ଚଳଚ୍ଚିତ୍ରକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ନବାଗତ ଦେବ୍‌। ସେ ଅଭିନୟ କରିଥିବା ଓଡିଆ ଚଳଚ୍ଚିତ୍ର ‘ଲଭ୍‌ ଟ୍ବିଷ୍ଟ’ରେ ତାଙ୍କୁ ମିଳିଛି ମନଲାଖି ଭୂମିକାଟିଏ। ‘ଏପରି ଏକ ସୁନ୍ଦର ଭୂମିକାଟିଏ ଯେ ମୋତେ ମିଳିଯିବ ତାହା ମୁଁ କେବେ କଳ୍ପନା କରି ନ ଥିଲି। କାହାଣୀ ଅନୁସାରେ ମୁଁ ଏଥିରେ ଜଣେ ବସ୍ତି ପିଲା ଭୂମିକାରେ ଅଭିନୟ କରିଛି। ପିଲାଟି ଘଟଣାଚକ୍ରରେ ପଡି ଅପରାଧ ଦୁନିଆରେ ଫସି ଯାଉଛି। ଆଉ ତା’ପରେ କ’ଣ ଘଟୁଛି ଏବଂ ସେ ଯାହାକୁ ମନପ୍ରାଣ ଦେଇ ଭଲ ପାଉଛି ତାକୁ ନିଜର କରିପାରୁଛି କି ନାହିଁ ତାହା ଫିଲ୍ମ ଦେଖିଲେ ହିଁ ଜାଣିପାରିବେ ବୋଲି ସେ କହନ୍ତି ।’ ଭୁବନେଶ୍ୱରସ୍ଥ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଅଭିନୟରେ ଡିିଗ୍ରୀ ହାସଲ ପରେ ସେ ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି। କେବଳ ସେତିକି ନୁହେଁ ଏହି ଫିଲ୍ମରେ ତାଙ୍କର ନାୟିକା ସାଜିଥିବା ମନସ୍ମିତା ମଧ୍ୟ ନବାଗତା। ଅନନ୍ତ ଭାରତୀ କ୍ରିଏସନ୍ସ ବ୍ୟାନରରେ ନିର୍ମିତ ‘ଲଭ୍‌ ଟ୍ବିଷ୍ଟ’ର ପ୍ରଯୋଜନା କରିଛନ୍ତି ନବାଗତ ପ୍ରଯୋଜକ ଅନନ୍ତ କୁମାର ସାମଲ। କାହାଣୀ, ସଂଳାପ, ଚିତ୍ରନାଟ୍ୟ ରଚନା ସହ ନିର୍ଦ୍ଦେଶନା ପରି ଗୁରୁଦାୟିତ୍ୱ ତୁଲାଇଛନ୍ତି ନବାଗତ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ସାମଲ। ନବାଗତ ସ୍ବର ସଂଯୋଜକ ସୁଶୀଲ ଦଳାଇ ଏହି ଫିଲ୍ମରୁ ନିଜର ଓଲିଉଡ୍‌ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଦେବ୍‌-ମନସ୍ମିତାଙ୍କ ବ୍ୟତୀତ ମିହିର ଦାସ, ପୁଷ୍ପା ପଣ୍ଡା, କାଳୀଚରଣ ଆଚାର୍ଯ୍ୟ, ପିଣ୍ଟୁ ନନ୍ଦ, ହାସ୍ୟାଭିନେତା ପ୍ରଜ୍ଞାଙ୍କୁ ଏଥିରେ ମଧ୍ୟ ଦେଖିବାକୁ ମିଳିବ। ତେବେ ଡେବ୍ୟୁ ଫିଲ୍ମଟି ଦେବ୍‌ଙ୍କୁ କେତେ ମାଇଲେଜ ଦେଉଛି ତାହା ରିଲିଜ ପରେ ହିଁ ଜଣାପଡିବ।

Share