ଚଳନ୍ତା କାରରେ ଯୁବତୀଙ୍କୁ ଗଣବଳାତ୍କାର ମାମଲା : ପୀଡ଼ିତାଙ୍କ ବୟାନକୁ ନେଇ ଦ୍ୱନ୍ଦ୍ୱରେ ପୋଲିସ

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ଚଳନ୍ତା କାରରେ ଜଣେ ଯୁବତୀଙ୍କୁ ଗଣବଳାକତ୍ାର କରି ଖୋର୍ଦ୍ଧା ପିଏନ୍‌ କଲେଜ ନିକଟରେ ଫିଙ୍ଗିଦେବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାକୁ ନେଇ ଗୁରୁବାର ଦିନତମାମ ଖଣ୍ଡଗିରି ଥାନାରେ ତନାଘନା ଚାଲିଥିଲା। ସକାଳେ ଭୁବନେଶ୍ୱର ଡିସିପି ଅନୁପ ସାହୁ ଥାନାରେ ପହଞ୍ଚତ୍ ମାମଲାର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବା ସହ ସିଆର୍‌ପିସି ୧୬୧ରେ ପୀଡିତାଙ୍କ ବୟାନ ରେକର୍ଡ କରିଥିଲେ। ଏଥିସହ କୋର୍ଟରେ ମଧ୍ୟ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ଆଇପିସି ଧାରା ୧୬୪ରେ ବୟାନ ରେକର୍ଡ କରାଯାଇଛି। ତେବେ ପୀଡିତା ଜଣକ ବାରମ୍ବାର ବୟାନ ବଦଳାଉଥିବାରୁ ପୋଲିସ ଦ୍ୱନ୍ଦ୍ୱରେ ପଡ଼ିଛି। ତେବେ ଅଭିଯୋଗ ଆଧାରରେ ଏକ ବଳାତ୍କାର ମାମଲା (ନଂ.୬୩୪/୧୯) ରୁଜୁ କରାଯିବା ସହ କାର୍‌ ଜବତ କରି ଡ୍ରାଇଭର ଜଟଣୀ କୁଦିଆରି ଅଞ୍ଚଳର ସୌମ୍ୟ ରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି। ତେବେ ପୀଡିତାଙ୍କ ଅଭିଯୋଗକୁ ଅଭିଯୁକ୍ତଙ୍କ ସ୍ତ୍ରୀ ଖଣ୍ଡନ କରିଛନ୍ତି। ଯୁବତୀ ଜଣଙ୍କୁ ସେ ଆଗରୁ ଜାଣିଛନ୍ତି। ପାଇବାକୁ ଥିବା କିଛି ଟଙ୍କାକୁ ନେଇ ସେ ଏପରି ଷଡ଼ଯନ୍ତ୍ର କରି ଫସାଇଛନ୍ତି ବୋଲି ସେ କହିଛନ୍ତି।
ଏନେଇ ଡିସିପି ସାହୁ କହିଛନ୍ତି, ବୁଧବାର ରାତିରେ ଖଣ୍ଡଗିରି ଛକରୁ ଯୁବତୀ ଜଣକ ଲିପ୍ଟ ମାଗି ଉକ୍ତ କାର୍‌ (ଓଡି-୦୨ଏଏଫ-୫୭୬୯)ରେ ଯାଇଥିଲେ। କାର ଭିତରେ ଦୁଇଜଣ ତାଙ୍କୁ ବଳାତ୍କାର କରି ଖୋର୍ଦ୍ଧା ପିଏନ୍‌ କଲେଜ ନିକଟରେ ଫିଙ୍ଗି ଦେଇଥିବା ନେଇ ସେ ବୟାନ ଦେଇଛନ୍ତି। ଯୁବତୀ ଜଣକ କେତେ ସତ କଥା କହୁଛନ୍ତି ତାହା ମେଡିକାଲ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ। ଅନ୍ୟପକ୍ଷରେ ସକାଳେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଖଣ୍ଡଗିରି ଥାନାକୁ ଯାଇ ତଦନ୍ତ ଅଧିକାରୀ ଓ ଥାନା ଅଧିକାରୀଙ୍କଠାରୁ ମାମଲା ସମ୍ପର୍କରେ ବୁଝିଥିଲେ। ଏଥିସହ ସେ ମଧ୍ୟ ପୀଡିତାଙ୍କ ସହ କଥା ହୋଇଥିଲେ। ଏନେଇ ମହିଳା କମିଶନ ଅଧ୍ୟକ୍ଷା ବେହେରା କହିଛନ୍ତି ଯେ, ଏହା ଏକ ସମ୍ବେଦନଶୀଳ ଘଟଣା। ଅଭିଯୁକ୍ତ ଗିରଫ ହୋଇଛନ୍ତି। ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଶୀଘ୍ର ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ସେ କହିଛନ୍ତି।
ମିଳିଥିବା ସୂଚନାନୁସାରେ, ପୀଡ଼ିତା ଜଣକ ଖୋର୍ଦ୍ଧାରେ ପରିବାର ସହ ରହୁଥିବାବେଳେ ବୁଧବାର କୌଣସି କାର୍ଯ୍ୟରେ ଭୁବନେଶ୍ୱର ଆସିଥିଲେ। ରାତିରେ ଖୋର୍ଦ୍ଧା ପିଏନ୍‌ କଲେଜ ନିକଟରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପୀଡିତାଙ୍କ ପରିଚୟ ଜଣାପଡିବା ପରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ପୂର୍ବରୁ ଜଣେ ବିଧାୟକଙ୍କ ସ୍ତ୍ରୀ ଦାବି କରି ବିବାଦକୁ ଆସିଥିବା ଶୁଣିବାକୁ ମିଳୁଛି।

Share