Categories: ଜାତୀୟ

ଚଳନ୍ତା ଟ୍ରେନରେ ଫସିଯାଇଥିବା ଯାତ୍ରୀଙ୍କ ଜୀବନ ବଞ୍ଚାଇଲେ କନଷ୍ଟେବଳ

ହାଇଦ୍ରାବାଦ,୩୦।୮: ହାଇଦ୍ରାବାଦର ଏକ ରେଳ ଷ୍ଟେଶନରେ ଚକିତ କରିଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଯାତ୍ରୀ ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ଟ୍ରେନ ଓ ପ୍ଲାଟଫର୍ମ ମଝିରେ ଫସିଯାଇଥିଲେ। ସେହି ସମୟରେ ଜଣେ କନଷ୍ଟେବଳ ତାଙ୍କୁ ମରଣ ମୁହଁରୁ ଉଦ୍ଧାର କରିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ହାଇଦ୍ରାବାଦର ନାମପଲ୍ଳୀ ରେଲଓ୍ବେ ଷ୍ଟେଶନରେ ଚେନ୍ନାଇରୁ ଆସୁଥିବା ଚାରମିନାର ଏକ୍ସପ୍ରେସରୁ ଜଣେ ୪୫ ବର୍ଷୀୟ ଯାତ୍ରୀ ପ୍ଲାଟଫର୍ମରେ ଓହ୍ଲାଉଥିବା ବେଳେ ତାଙ୍କ ପାଦ ଖସିଯିବାରୁ ଟ୍ରେନ ଓ ପ୍ଲାଟଫର୍ମ ମଝିରେ ଫସିଯାଇଥିଲେ। ଏହାପରେ ସେ ଚିତ୍କାର କରିଥିଲେ। ସେହି ସମୟରେ ଆରପିଏଫ୍‌ର ଜଣେ କନଷ୍ଟେବଳ ବିକଳ କୁମାର କାର୍ଯ୍ୟରତ ଥିବା ବେଳେ ବ୍ୟକ୍ତି ଜଣଙ୍କୁ ଫସିଥିବାର ଦେଖି ସଙ୍ଗେ ସଙ୍ଗେ ତାଙ୍କୁ ଚଳନ୍ତା ଟ୍ରେନ ମଝିରୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ଯାତ୍ରୀ ଜଣକ ସୁରକ୍ଷିତ ଥିବା ଜଣାପଡ଼ିଛି। ଅନ୍ୟପଟେ କନଷ୍ଟେବଳ ବିକଳ କୁମାରଙ୍କ ଏହି ସାହସିକତା କାର୍ଯ୍ୟ ପାଇଁ ଆରପିଏଫ୍‌ ଆଇଜି ଓ ସାଧାରଣ ଲୋକ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା କରିଛନ୍ତି।

Share