ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଥିବା ଯୁବକଙ୍କୁ ଉଦ୍ଧାର ଘଟଣା: ହାବିଲଦାରଙ୍କୁ ସମ୍ମାନିତ କଲେ ପୋଲିସ କମିଶନର

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଟ୍ରେନ୍‌ରୁ ଖସି ପଡିଥିବା ଜଣେ ଯାତ୍ରୀଙ୍କୁ ବିଳମ୍ବିତ ରାତିରେ ଉଦ୍ଧାର କରିଥିବା ମଡର୍ନ କଣ୍ଟ୍ରୋଲ ରୁମ୍‌ର ହାବିଲଦାର ସୁଶାନ୍ତ କୁମାର ହାତୀଙ୍କୁ ପୋଲିସ କମିଶନର ଶୁକ୍ରବାର ସମ୍ମାନିତ କରିଛନ୍ତି। କମିଶନରେଟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କମିଶନର ସତ୍ୟଜିତ ମହାନ୍ତି ତାଙ୍କୁ ପ୍ରଶଂସାପତ୍ର ସହ ୧ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ହାବିଲଦାର ହାତୀ ସମସ୍ତଙ୍କ ପାଇଁ ଆଦର୍ଶ ବୋଲି ମହାନ୍ତି କହିଛନ୍ତି।
ସୂଚନା ମଙ୍ଗଳବାର ରାତି ପ୍ରାୟ ୪ଟାରେ ଡିସିପିଙ୍କ କାର୍ଯ୍ୟାଳୟସ୍ଥିତ ମଡର୍ନ କଣ୍ଟ୍ରୋଲ ରୁମ୍‌କୁ ଏକ ଫୋନ୍‌ କଲ୍‌ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତିଜଣକ ନିଜକୁ ବିହାର ପାଟଣାର ଉମେଶ କୁମାର ବୋଲି ପରିଚୟ ଦେବା ସହ ସେ ଏର୍ନାକୁଲମ-ପାଟଣା ଏକ୍ସପ୍ରେସରୁ ଖସିପଡିଥିବା ଓ ତୁରନ୍ତ ତାଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଥିଲେ। ହେଲେ ସେ ପଡ଼ିଥିବା ସ୍ଥାନ କହି ନ ପାରିବାରୁ କଣ୍ଟ୍ରୋଲ ରୁମ୍‌ରେ କାର୍ଯ୍ୟରତ ସୁଶାନ୍ତ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ହେଲେ ଏହାକୁ ଅଣଦେଖା ନ କରି ତୁରନ୍ତ ମଞ୍ଚେଶ୍ୱର ଥାନା ପିସିଆର ଭ୍ୟାନ ଡ୍ରାଇଭରଙ୍କୁ ସାଙ୍ଗରେ ଧରି ଉକ୍ତ ଟ୍ରେନ୍‌ ଯାତ୍ରୀଙ୍କୁ ଖୋଜିବାକୁ ଲାଗିପଡିଥିଲେ। ବାଣୀବିହାର ଷ୍ଟେଶନରୁ ମଞ୍ଚେଶ୍ୱର ଷ୍ଟେଶନ ଆଡ଼କୁ ଟ୍ରେନ ଲାଇନ କଡ଼ରେ ୩ କି.ମି. ଚାଲିଚାଲି ଯିବା ପରେ ଉକ୍ତ ଯୁବକକୁ ଠାବ କରିଥିଲେ। ଯୁବକ ଜଣକ ସେଠାରେ ରକ୍ତାକ୍ତ ଅବସ୍ଥାରେ ପଡି ରହି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ହେଲେ ଉକ୍ତ ସ୍ଥାନକୁ ଗାଡି ଯିବା ସମ୍ଭବ ନ ଥିବାରୁ ଓ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ସୁଶାନ୍ତ ଆହତ ଯୁବକଙ୍କୁ କାନ୍ଧରେ ପକାଇ ଦୌଡ଼ି ଦୌଡ଼ି ପିସିଆର୍‌ ଭ୍ୟାନ୍‌ ନିକଟରେ ପହଞ୍ଚତ୍ଥିଲେ। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ହେବାରେ ଲାଗିଛି।

Share