Categories: ବାଣିଜ୍ୟ

ଚଳିତବର୍ଷ ନିଲାମ ହେବ ୫ଜି ସ୍ପେକ୍ଟ୍ରମ: ଟେଲିକମ୍‌ ମନ୍ତ୍ରୀ

ନୂଆଦିଲ୍ଲୀ,୪-୬: ଟେଲିକମ୍‌ ମନ୍ତ୍ରୀ ଭାବେ ରବିଶଙ୍କର ପ୍ରସାଦ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଗାମୀ ୧୦୦ ଦିନ ଭିତରେ ୫ଜି ସ୍ପେକ୍ଟ୍ରମ ଟେଷ୍ଟିଙ୍ଗ୍‌ ଆରମ୍ଭ କରିବାର ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ୫ଜି ଏବଂ ଅନ୍ୟ ବ୍ୟାଣ୍ଡ୍‌ ଲାଗି ସ୍ପେକ୍ଟ୍ରମ ନିଲାମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସଙ୍କଟଗ୍ରସ୍ତ ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିଫୋନ ନିଗମ ଲିଃ(ଏମ୍‌ଟିଏନ୍‌ଏଲ୍‌)ର ପୁନରୁଦ୍ଧାରକୁ ସରକାର ପ୍ରାଥମିକତା ଦେବେ ବୋଲି ପ୍ରସାଦ ସ୍ପଷ୍ଟ କରିଛନ୍ତି। ତେବେ ଦୁଇଟିଯାକ ରାଷ୍ଟ୍ରାୟତ୍ତ କମ୍ପାନୀକୁ ପେସାଦାର ମନୋବୃତ୍ତି ଆପଣାଇବାକୁ ହେବ ଏବଂ କମ୍ପାନୀ ପୁନରୁଦ୍ଧାର ଦିଗରେ କାମ କରିବାକୁ ହେବ। ଚାଇନାର କମ୍ପାନୀ ହୁଏଇକୁ ୫ଜି ପରୀକ୍ଷଣରେ ସାମିଲ କରାଯିବ କି ନା ପ୍ରଶ୍ନର ଉତ୍ତର ଦେଇ ପ୍ରସାଦ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିକୋଣକୁ ଧ୍ୟାନରେ ରଖି ଏଭଳି ଜଟିଳ ପ୍ରସଙ୍ଗ ଉପରେ ନଜର ଦିଆଯିବ। ସୂଚନାଥାଉ କି, ଗତ ମାସରେ ଆମେରିକାର ଟ୍ରମ୍ପ ପ୍ରଶାସନ ହୁଏଇ ଏବଂ ଏହାର ସହଯୋଗୀ କମ୍ପାନୀଗୁଡ଼ିକୁ ସୁରକ୍ଷା କାରଣରୁ କଳାତାଲିକାଭୁକ୍ତ କରିଛି।

Share