ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି ୯ ଶହ ବାସଗୃହ

ମାଲକାନଗିରି,୧୪ା୮ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁ ୩ଥର ସୃଷ୍ଟି ପରିସ୍ଥିତି ହୋଇଥିଲା। ଏବେ ବନ୍ୟା ଛାଡ଼ିଯାଇଛି ସତ ଲୋକଙ୍କ ଦୁର୍ଦ୍ଧଶା କମିନି। ଜିଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଜିଲାରେ ୯ଶହ ବାସଗୃହ କ୍ଷତିଗ୍ରସ୍ତ ହୋଇଛି । ୬ଟି ବ୍ଲକ ପ୍ରଭାବିତ ହୋଇଥିବା ବେଳେ ଏହି ବ୍ଲକ ଅନ୍ତର୍ଗତ ୩୬ ଗ୍ରାମର ଲୋକେ ପ୍ରଭାବିତ ହୋଇଛନ୍ତି । ଏହାବ୍ୟତୀତ ଜିଲାର ୨୩୩ ହେକ୍ଟର ଚାଷ ଜମିରେ ବାଲିଚର ମାଡ଼ିଯାଇଛି । ଜିଲା ପ୍ରଶାସନ ପ୍ରଥମ ପର୍ଯ୍ୟାୟର କ୍ଷତିପୂରଣ ବାବଦରେ ସହାୟତା ରାଶି ପ୍ରଦାନ କରିସାରିଛି । ମାଲକାନଗିରି ଜିଲା ସଦର ମହକୁମାରଠାରୁ ଆରମ୍ଭ କରି ବାଲିମେଳା, ମାଥିଲି, କାଲିମେଳା, ମୋଟୁ, ପଡ଼ିଆ ମୁଖ୍ୟରାସ୍ତା ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଗ୍ରାମ୍ୟ ରାସ୍ତା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବିଶେଷ କରି ଗ୍ରାମ୍ୟ ନିର୍ମାଣ, ସାଉଥକୋ, ରାସ୍ତା ଓ ଗୃହ ବିଭାଜନ ବିଭାଗ କ୍ଷୟକ୍ଷତିର ଆକଳନ କରୁଛନ୍ତି। ବନ୍ୟା ସମୟରେ ୭ଟି ଅଗ୍ନିଶମ ବାହିନୀ ଓ ଗୋଟିଏ ଓଡ୍ରାଫ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ। ୫୨ଟି ସ୍ଥାନରେ ରିଲିଫ କ୍ୟାମ୍ପ ଖୋଲାଯାଇଥିଲା । ୫୫୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା ବୋଲି ଡେପୁଟି କଲେକ୍ଟର ଅକ୍ଷୟ କୁମାର ଖେମୁଡ଼ୁ କହିଛନ୍ତି। ସେହିପରି ୨୦ଟି ବ୍ୟକ୍ତିଗତ ପୋଖରୀ ବନ୍ୟା ଜଳରେ ନଷ୍ଟ ହୋଇଛି । ୯୨ଟି ସ୍ଥାନରେ ଗ୍ରାମ୍ୟ ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୋଟ ୪୭ କି.ମି.ରାସ୍ତା ଓ ୩୫ଟି କଲଭର୍ଟ କ୍ଷତିଗ୍ରସ୍ତ ହୋଇଛି । ତେବେ ବର୍ତ୍ତମାନ ମଧ୍ୟ କ୍ଷୟକ୍ଷତି ଆକଳନ ଜାରି ରହିଛି। ଆଗାମୀ ଦିନରେ କ୍ଷୟକ୍ଷତିର ପରିମାଣ ବଢିପାରେ ବୋଲି ଡେପୁଟି କଲେକ୍ଟର ଖେମୁଡ଼ୁ କହିଛନ୍ତି।

Share