ଚଳିତ ବର୍ଷ ଦିଆଯିବନି ରମଣ ମାଗାସେସ୍‌ ଆଓ୍ବାର୍ଡ: ୬୩ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ବନ୍ଦ

ମାନିଲା,୯।୬: ଏସିଆର ନୋବେଲ ପୁରସ୍କାର କୁହାଯାଉଥିବା ରମଣ ମାଗାସେସ୍‌ ଆଓ୍ବାର୍ଡ ଚଳିତ ବର୍ଷ ଦିଆ ଯିବନାହିଁ। ଏହି ଫିଲିପାଇନ୍ସ୍‌ ଶାନ୍ତି ପୁରସ୍କାରକୁ କରୋନା ମହାମାରୀ ପାଇଁ ରଦ୍ଦ କରାଯାଇଛି। ପ୍ରତିବର୍ଷ ଏହାକୁ ମାନିଲାଠାରେ ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରଦାନ କରାଯାଇଥାଏ। ୧୯୫୭ଠାରୁ ଗତ ୬୩ ବର୍ଷ ମଧ୍ୟରେ ଚଳିତ ଥରକୁ ମିଶାଇ ଏହି ଆଓ୍ବାର୍ଡକୁ ୩ ଥର ସ୍ଥଗିତ ରଖାଯାଇଛି। ୧୯୭୦ରେ ଆର୍ଥିକ ସଙ୍କଟ ଯୋଗୁ ଏହାକୁ ବନ୍ଦ କରାଯାଇଥିଲା। ସେହିପରି ୧୯୯୦ରେ ବିନାଶକାରୀ ଭୂକମ୍ପ ଯୋଗୁ ରମଣ ମାଗାସେସ୍‌ ଆଓ୍ବାର୍ଡ ନ ଦେବାକୁ ସ୍ଥିର କରାଯାଇଥିଲା। ୧୯୫୭ ଏପ୍ରିଲ୍‌ରେ ଏହି ଆଓ୍ବାର୍ଡ ଫିଲିପାଇନ୍ସ୍‌ ରାଷ୍ଟ୍ରପତି ରମଣ ମାଗାସେସ୍‌ଙ୍କ ସ୍ମୃତିରେ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରତିବର୍ଷ ଅଗଷ୍ଟ ୩୧ରେ ରମଣ ମାଗାସେସ୍‌ଙ୍କ ଜୟନ୍ତୀ ଅବସରରେ ମାନିଲାରେ ଆୟୋଜିତ ଏକ ଉତ୍ସବରେ ଏହା ପ୍ରଦାନ କରାଯାଇଥାଏ। ସରକାରୀ ସେବା, ସାର୍ବଜନିକ ସେବା, ସାମୁଦାୟିକ ନେତୃତ୍ୱ, ପତ୍ରକାରିତା-ସାହିତ୍ୟ-ରଚନାତ୍ମକ ସଞ୍ଚାର କଳା, ଶାନ୍ତି ଓ ଅନ୍ତର୍ଜାତୀୟ ବୁଝାମଣା ଏବଂ ଇର୍ମଜେଣ୍ଟ୍‌ ଲିଡରଶିପ୍‌ ଆଦି ୬ଟି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହା ପ୍ରଦାନ କରାଯାଇଥାଏ।

Share