Categories: ବାଣିଜ୍ୟ

ଚଳିତ ବର୍ଷ ୩ ଟ୍ରିଲିୟନ ଡଲାର ଛୁଇଁବ ଅର୍ଥନୀତି

ନୂଆଦିଲ୍ଲୀ,୬-୭: ଚଳିତ ଆର୍ଥତ୍କ ବର୍ଷରେ ଦେଶର ଅର୍ଥନୀତି ୩ ଟ୍ରିଲିୟନ ଡଲାର ଛୁଇଁବ। ଆଗାମୀ ଦିନରେ ଦେଶର ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାର ବିଶିଷ୍ଟ କରିବା ନେଇ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହାକୁ ହାସଲ କରିବା ଲାଗି ଦେଶରେ ସଂସ୍କାର ଧାରା ଜାରି ରହିବା ଆବଶ୍ୟକ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ ଅବସରରେ ସୂଚନା ଦେଇଛନ୍ତି। ପାଞ୍ଚ ବର୍ଷ ତଳେ ଦେଶର ଅର୍ଥନୀତି ୧.୮୫ ଲକ୍ଷ କୋଟି ଡଲାର ରହିଥିଲା। ଏହା ବର୍ତ୍ତମାନ ୨.୭ ଲକ୍ଷ କୋଟି ଡଲାର ଛୁଇଁଛି। ଆଗାମୀ ଦିନରେ ଅର୍ଥନୀତି ୫ ଲକ୍ଷ କୋଟି ଡଲାର ଛୁଇଁବା ନେଇ ଆଶାବାଦୀ ଥିବା ନିର୍ମଳା କହିଛନ୍ତି। ଗତ ୫ ବର୍ଷ ତଳେ ଦେଶର ଅର୍ଥନୀତି ସାରା ବିଶ୍ୱରେ ୧୧ତମ ସ୍ଥାନରେ ଥିଲା। ଏହା ବର୍ତ୍ତମାନ ୬କୁ ଉନ୍ନୀତ ହୋଇଛି। କ୍ରୟ କ୍ଷମତାକୁ ବିଚାର କରିଲେ ଭାରତ ଚାଇନା ଏବଂ ଆମେରିକା ପରେ ତୃତୀୟ ବୃହତ୍ତ ଅର୍ଥନୀତି ବୋଲି ନିର୍ମଳା କହିଛନ୍ତି।
ଗତ ପାଞ୍ଚ ବର୍ଷରେ ସରକାର ପରୋକ୍ଷ ଟିକସ,ରିୟଲ ଇଷ୍ଟେଟ ଏବଂ ବ୍ୟାଙ୍କରପ୍ସି ଭଳି କ୍ଷେତ୍ରରେ ବିଭିନ୍ନ ସଂସ୍କାର ଧାରା ଗ୍ରହଣ କରିଛନ୍ତି। ମୁଦ୍ରା ଋଣ ଦ୍ୱାରା ସାଧାରଣ ଲୋକଙ୍କ ବିକାଶ ହୋଇଛି। ଦେଶର ରୋଷେଇଘରଗୁଡିକ ଧୂଆଁମୁକ୍ତ, ପରିବାରଗୁଡିକୁ ବିଜୁଳି ଏବଂ ପାଇଖାନା ସହ ଯୋଡାଯିବା ଦ୍ୱାରା ମହିଳାଙ୍କ ସମ୍ମାନ ବୃଦ୍ଧି ହୋଇଛି। ଭିତ୍ତିଭୂମି, ନିଯୁକ୍ତି ସୃଷ୍ଟି ଏବଂ କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଫାର୍ମଗୁଡିକରେ ନିବେଶ ନେଇ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଦେଶର ଅର୍ଥନୀତି ୧ ଲକ୍ଷ କୋଟି ଡଲାର ଛୁଇଁବା ଲାଗି ୫୫ ବର୍ଷ ଲାଗିଲା। ମାତ୍ର ଆଉ ଏକ ଟ୍ରିଲିୟନ ଡଲାର ଅର୍ଥନୀତି ଯୋଡିବା ଲାଗି ୫ ବର୍ଷ ଲାଗିଛି। ଏବେ ଦେଶ ୩ ଟ୍ରିଲିୟନ ଡଲାର ଅର୍ଥନୀତିର ନିକଟବର୍ତ୍ତି। ଏଥିରେ ଲୋକଙ୍କ ଆଶା, ବିଶ୍ୱାସ ଏବଂ ଆକାଂକ୍ଷା ଯୋଡି ହୋଇଥିବା ସୀତାରାମନ କହିଛନ୍ତି। ଦେଶର ଅଭିବୃଦ୍ଧି କ୍ଷୁଦ୍ର ତଥା ବୃହତ୍ତ ଶିଳ୍ପଗୁଡିକର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ନିର୍ମଳା କହିଛନ୍ତି। ବର୍ତ୍ତମାନ ଦେଶର କମ୍ପାନୀଗୁଡିକ ମେକ୍‌ ଇନ ଇଣ୍ଡିଆକୁ ବୁଝି ପାରିଥିବା ସେ ପ୍ରକାଶ କରିଛନ୍ତି। ଦେଶର କମ୍ପାନୀଗୁଡିକ ନିଯୁକ୍ତି ସୃଷ୍ଟି ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବେଳେ ଦେଶର ସମ୍ପତ୍ତି ସୃଷ୍ଟିରେ ପ୍ରମୁଖ ଯୋଗଦାନ ରଖୁଥିବା ସେ ମତ ଦେଇଛନ୍ତି।

Share