Categories: ରାଜ୍ୟ

ଚଳିତ ବର୍ଷ ୩ ହଜାର ହେକ୍ଟର ପଞ୍ଚାୟତ: ପୋଖରୀରେ ହେବ ମାଛଚାଷ

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ଚଳିତ ବର୍ଷ ୩ ହଜାର ହେକ୍ଟର ଗ୍ରାମ ପଞ୍ଚାୟତ ପୋଖରୀରେ ମାଛଚାଷ କରାଯିବ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ଇନ୍‌ପୁଟ ସବ୍‌ସିଡି ଦିଆଯାଉଛି। ମହିଳାମାନଙ୍କ ଆଥିର୍କ ଉନ୍ନତି ସହିତ ରାଜ୍ୟର ମତ୍ସ୍ୟଚାଷୀ ବୃଦ୍ଧି କରାଯାଇ ପାରିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ସୋମବାର ଓକାକ୍‌ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ମତ୍ସ୍ୟ ଚାଷ ବିକାଶ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା। ବୈଠକରୁ ଜଣାଯାଇଛି ଯେ ରାଜ୍ୟରେ ୨୦୧୦-୧୧ରେ ମତ୍ସ୍ୟ ଉତ୍ପାଦନ ୩.୮୬ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୭.୫୯ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ ହୋଇଛି। ରାଜ୍ୟରେ ଅନୂ୍ୟନ ୭୨ ହଜାର ପୋଖରୀ ଓ ଜଳଭାଗ ରହିଛି। ସେଥିରୁ ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ନୂତନ କାର୍ଯ୍ୟକ୍ରମ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ଗ୍ରାମ ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ ଇନ୍‌ପୁଟ ସବସିଡି ମାଧ୍ୟମରେ ୧୪୭୨.୨୦ ହେକ୍ଟର ପରିମିତ ୧୭୨୯ଟି ପଞ୍ଚାୟତ ପୋଖରୀରେ ମାଛ ଚାଷ କରାଯାଇଥିଲା। ରାଜ୍ୟରେ ୨ ଲକ୍ଷ ହେକ୍ଟର ବିସ୍ତୃତ ଜଳଭଣ୍ଡାର ରହିଛି। ଏହା ଉପରେ ମତ୍ସ୍ୟଜୀବୀ ସମବାୟ ସମିତିର ସଭ୍ୟମାନେ ମାଛଧରି ଜୀବିକା ନିର୍ବାହ କରନ୍ତି। ଚଳିତ ଆର୍ଥିକ ବର୍ଷରେ ୬ଟି ଜଳଭଣ୍ଡାରରେ ମୋଟ ୨ଟି ଲେଖାଏ ମୋଟ ୧୨ଟି ଗୋଲାକାର ପଞ୍ଜୁରି ସ୍ଥାପନ କରି ଜଳ ଭଣ୍ଡାରରେ କାର୍ପ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ୫୦ ଗୋଟି ପଞ୍ଜୁରିରେ ଉନ୍ନତ ପ୍ରଜାତିର ମାଛ ଉତ୍ପାଦନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ କେନ୍ଦ୍ରୀୟ ମତ୍ସ୍ୟ ଗବେଷଣା କେନ୍ଦ୍ର, ବାରକପୁର ଏବଂ ବିଶ୍ୱସ୍ତରୀୟ ସଂଗଠନ ଓ୍ବାର୍ଲଡ ଫିସ ବୈଷୟିକ ପରାମର୍ଶ ପ୍ରଦାନ କରୁଛନ୍ତି।
୨୦୧୭-୧୮ରୁ ମତ୍ସ୍ୟ ପୋଖରୀ ଯୋଜନା ପ୍ରଚଳନ କରାଯାଉଛି। ନୂତନ ପୋଖରୀ ଖନନ ନିମନ୍ତେ ୫୦ ପ୍ରତିଶତ ତଥା ହେକ୍ଟର ପିଛା ୪ ଲକ୍ଷ ୨୪ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ଚଳିତ ବର୍ଷ ଉକ୍ତ ଯୋଜନାରେ ରାଜ୍ୟ ସରକାର ୪୪.୮୭ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଉକ୍ତ ବୈଠକରେ ମନ୍ତ୍ରୀ ଜିଲା ଓ ବ୍ଲକସ୍ତରୀୟ ଅଧିକାରୀମାନଙ୍କ ସହ ମତ୍ସ୍ୟ ଉତ୍ପାଦନ ସମ୍ପର୍କରେ ୁ ଆଲୋଚନା କରିଥିଲେ।

Share