ଚଷାଖଣ୍ଡ ପଞ୍ଚାୟତକୁ ନିଶାମୁକ୍ତ କରିବା ଦାବି: ହାତରେ ଝାଡ଼ୁ ଧରି ଥାନା ଘେରିଲେ ମହିଳା

ଦଶରଥପୁର,୧୯।୯(ଡିଏନ୍‌ଏ): ଚଷାଖଣ୍ଡ ପଞ୍ଚାୟତକୁ ନିଶାମୁକ୍ତ କରିବା ଲାଗି ବୁଧବାର ସମ୍ପୃକ୍ତ ପଞ୍ଚାୟତର ଶତାଧିକ ମହିଳା ହାତରେ ଝାଡ଼ୁ ଓ ପହଁରା ଧରି ମଙ୍ଗଳପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଉକ୍ତ ପଞ୍ଚାୟତର ଚୋରା ମଦ ବ୍ୟବସାୟୀ ଓ ଗଞ୍ଜେଇ ବ୍ୟବସାୟୀଙ୍କ ବିରୋଧରେ ଆଗାମୀ ୭ଦିନ ମଧ୍ୟରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ବିକ୍ଷୋଭ ପ୍ରଦର୍ଶନ କରିବା ଲାଗି ଆସିଥିବା ମହିଳାମାନେ ଆଇନ୍‌ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି। ଚଷାଖଣ୍ଡ ପଞ୍ଚାୟତରେ ଦୀର୍ଘଦିନ ଧରି ଚୋରାରେ ମଦ ଓ ଗଞ୍ଜେଇ ବ୍ୟବସାୟ ହେଇଆସୁଥିବା ପଞ୍ଚାୟତବାସୀଙ୍କ ପକ୍ଷରୁ ବହୁବାର ଥାନାକୁ ଅବଗତ କରାଯାଇଛି। ଚୋରାରେ ଚଳାଇଥିବା ଏହି ନିଶା ବ୍ୟବସାୟୀଙ୍କ ବିରୋଧରେ ପୋଲିସ୍‌ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଚୋରା ନିଶା ବ୍ୟବସାୟୀ ଅବାଧରେ ତାଙ୍କ ବ୍ୟବସାୟ ବଢ଼ାଇ ଚାଲିଛନ୍ତି ବୋଲି ବିକ୍ଷୋଭକାରୀ ଅଭିଯୋଗ କରିଛନ୍ତି। ଥାନାଧିକାରୀ ଅସିତ୍‌ ରଞ୍ଜନ ମହାନ୍ତିଙ୍କ ଅନୁପସ୍ଥିତ ଯୋଗୁ ଥାନା ଏସ୍‌ଆଇ ହରିଶ୍‌ ସିଂ, ଏସ୍‌ଆଇ କବିତା ନାୟକ, ଏଏସ୍‌ଆଇ ସନ୍ତୋଷ କୁମାର ସିଂ, ଏଏସ୍‌ଆଇ ଟୁକନ ଦାସ ବିକ୍ଷୋଭକାରୀ ମହିଳାଙ୍କ ସହ ଆଲୋଚନା କରିବା ପରେ ଚୋରା କାରବାରର ମୂଳ ଉପତ୍ାଟନ ଲାଗି ଚେଷ୍ଟା କରିବ। ଏ ନେଇ ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି କହିବା ସହିତ ଅଭିଯୋଗକାରୀଙ୍କଠାରୁ ପଞ୍ଚାୟତରେ ନିଶା କାରବାର କରୁଥିବା ଚୋରା ବ୍ୟବସାୟୀଙ୍କ ନାମକୁ ପୋଲିସ୍‌ ନୋଟ୍‌ କରି ୭ ଦିନ ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଏହାପରେ ମହିଳାମାନେ ଫେରିଥିଲେ। ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କ ମଧ୍ୟରେ କନକ ମଲ୍ଲିକ୍‌, ରନତ୍ ମଲିକ, ସଞ୍ଜୁଲତା ମଲ୍ଲିକ୍‌, ପାର୍ବତି ମଲ୍ଲିକ୍‌, ଭାଗ୍ୟବତି ମଲ୍ଲିକ୍‌, ମିନତୀ ମଲ୍ଲିକ୍‌, ଛବି ମଲ୍ଲିକ ପ୍ରମୁଖ ଶତାଧିକ ମହିଳା ଉପସ୍ଥିତ ଥିଲେ।