ଚାଇନାକୁ ଜର୍ମାନୀର ୧୬୫ ବିଲିୟନ ଡଲାରର ବିଲ୍‌

ନୂଆଦିଲ୍ଲୀ,୨୧ା୪: କରୋନା ଭାଇରସ୍‌ ସଂକ୍ରମଣ ଦ୍ୱାରା ସାରା ବିଶ୍ୱରେ ବ୍ୟାପକ ଭାବେ ଧନଜୀବନ କ୍ଷତି ଘଟିବାରେ ଲାଗିଛି। ଚାଇନାର ଉହାନରୁ ପ୍ରଥମେ ଏହି ସଂକ୍ରମଣ ଦେଖାଦେଇଥିଲା ଏବଂ ତାହା ସାରା ବିଶ୍ୱକୁ ବ୍ୟାପିଛି। ଏଥିପାଇଁ ଚାଇନାକୁ ଦାୟୀ କରୁଛନ୍ତି ଆମେରିକା, ଫ୍ରାନ୍ସ, ବ୍ରିଟେନ, ଜର୍ମାନୀ ଓ ଅଷ୍ଟ୍ରେଲିଆ ଭଳି ଦେଶ। ଏପରି କି ଚାଇନାକୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇସାରିଲେଣି। ଚାଇନାକୁ ବିଭିନ୍ନ ଦେଶରୁ ନିନ୍ଦା କରାଯିବା ସହ ଏକପ୍ରକାର ଘେରିବାକୁ ଉଦ୍ୟମ ଆରମ୍ଭ ହେଲାଣି। ଏହି ପରିପ୍ରେକ୍ଷୀରେ ଜର୍ମାନୀର ଏକ ପ୍ରମୁଖ ଦୈନିକ ଟାବ୍‌ଲଏଡ୍‌ ‘ବିଲ୍‌ଡ’ କରୋନା ସଂକ୍ରମଣ ଯୋଗୁ ଦେଶରେ ହୋଇଥିବା କ୍ଷୟକ୍ଷତି ପାଇଁ ଚାଇନାକୁ ଦାୟୀ କରିଛି। ଏହାସହିତ ଚାଇନା ଉକ୍ତ କ୍ଷତି ଭରଣା କରିବା ପାଇଁ ‘ବିଲ୍‌ଡ’ ପକ୍ଷରୁ ୧୬୫ ବିଲିୟନ ଡଲାର ବା ୧୫୦ ବିିଲିୟନ ୟୁରୋର ଏକ ବିଲ୍‌ ଜାରି କରାଯାଇଛି। ଗତ ବୁଧବାର ଉକ୍ତ ଟାବଲଏଡ୍‌ରେ ‘ଚାଇନା ଆମର କେତେ ଋଣୀ’ ଶୀର୍ଷକ ଏକ ଲେଖା ପ୍ରକାଶ ପାଇଥିଲା। ଜର୍ମାନୀର ପର୍ଯ୍ୟଟନ କ୍ଷେତ୍ରର କ୍ଷତି ପାଇଁ ଉକ୍ତ ଖବରକାଗଜ ୨୭ ବିଲିୟନ ୟୁରୋ ଧାର୍ଯ୍ୟ କରିଛି। ସେହିପରି ଫିିଲ୍ମ ଇଣ୍ଡଷ୍ଟ୍ରି ପାଇଁ ୭.୨ ବିଲୟନ ୟୁରୋ, କ୍ଷୁଦ୍ର ବ୍ୟବସାୟଗୁଡ଼ିକର କ୍ଷତି ଭରଣା ନିମନ୍ତେ ୫୦ ବିଲିୟନ ୟୁରୋ ଏବଂ ବିମାନ କମ୍ପାନୀ ଲୁଫ୍‌ଥାନ୍ସାର ପ୍ରତି ଘଣ୍ଟାର କ୍ଷତି ଲାଗି ୧ ମିଲିୟନ ୟୁରୋ ଧାର୍ଯ୍ୟ କରିଛି। ଏହି ଲେଖାକୁ ନେଇ ଜର୍ମାନୀରେ ଥିବା ଚାଇନା ଦୂତାବାସ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି। ଏହା ଚାଇନା ବିରୋଧରେ ରାଷ୍ଟ୍ରବାଦ, ଜେନୋଫୋବିଆ(ବିଦେଶୀଙ୍କୁ ଘୃଣା) ଓ ଶତ୍ରୁଭାବର ପ୍ରତିଫଳନ ବୋଲି କୁହାଯାଇଛି।

Share