ଚାଇନାକୁ ଟ୍ରମ୍ପ୍‌ଙ୍କ ନାଲିଆଖି

ନ୍ୟୁୟର୍କ,୨୫ା୯: ବେଜିଂର ବାଣିଜି୍ୟକ ସ୍ବେଚ୍ଛାଚାରିତା ଶେଷ ହୋଇଛି। ହଂକଂବାସୀଙ୍କ ଗଣତାନ୍ତ୍ରିକ ଉପାୟରେ ଜୀବନକୁ ଚାଇନା ସୁରକ୍ଷା ଦେଉ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ବାଣିଜ୍ୟ ଓ ହଂକଂ ପ୍ରସଙ୍ଗରେ ଚାଇନାକୁ ଏଭଳି ଭାଷାରେ ଚେତାବନୀ ଦେଇଛନ୍ତି।
ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)କୁ ସମ୍ବୋଧିତ କରି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ କହିଛନ୍ତି, ବାଣିଜ୍ୟକୁ ନେଇ ଚାଇନାର ଅନ୍ୟାୟ ଓ ସ୍ବେଚ୍ଛାଚାରିତାକୁ ଅନେକ ବର୍ଷ ଧରି ବରଦାସ୍ତ କରାଯାଇଛି। କେତେବେଳେ ଏହାକୁ ଅଣଦେଖା କରାଯାଇଥିବାବେଳେ ଆଉ କେବେ ପ୍ରୋତ୍ସାହନ ମଧ୍ୟ ଦିଆଯାଇଛି। ବିଶ୍ୱବାଦ ଯୋଗୁ ବିଶ୍ୱନେତାମାନେ ନିଜ ଦେଶର ଜାତୀୟ ସ୍ବାର୍ଥକୁ ଅଣଦେଖା କରିଛନ୍ତି। କିନ୍ତୁ ଯେତେଦୂର ଆମେରିକା କଥା ଉଠୁଛି, ସେହିଦିନଗୁଡ଼ିକ ଶେଷ ହୋଇଯାଇଛି। ସେହିପରି ହଂକଂ ସଙ୍କଟକୁ ଚାଇନା ଯେପରି ପରିଚାଳନା କରୁଛି, ତା ଉପରେ ତାଙ୍କ ପ୍ରଶାସନ ସତର୍କତା ସହ ଅନୁଧ୍ୟାନ କରଛି। ସେ ଆହୁରି କହିଛନ୍ତି, ହଂକଂର ସ୍ବାଧୀନତା, ଆଇନ ବ୍ୟବସ୍ଥା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ନେଇ ସମ୍ପାଦିତ ଚୁକ୍ତିକୁ ଚାଇନା ପୂର୍ଣ୍ଣ ସମ୍ମାନ ଦେବ ବୋଲି ବିଶ୍ୱ ଆଶାବାଦୀ। ଆମେରିକାବାସୀଙ୍କ ପାଇଁ ସେ ଏକ ଖରାପ ଚୁକ୍ତିକୁ ଗ୍ରହଣ କରିବେ ନାହିଁ ବୋଲି ଏହି ବିଶ୍ୱମଞ୍ଚରେ ସେ ସ୍ପଷ୍ଟ କରିଛନ୍ତି।

Share