ବେଜିଂ,୧୮।୫: ପୃଥିବୀରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ସେହିପରି କରୋନା ସଂକ୍ରମଣକୁ ରୋକିବା ପାଇଁ ବହୁ ଦେଶରେ ଲକ୍ଡାଉନ୍ ମଧ୍ୟ ଜାରି ହୋଇଛି। କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାକୁ ଯଦି ପୁଣିଥରେ କରୋନା ଫେରେ ତେବେ ପରିସ୍ଥିତି ଭୟାବହ ହେବ। ପ୍ରଥମ ଥର ଅପେକ୍ଷା ଦ୍ୱିତୀୟ ଥର କରୋନା ସଂକ୍ରମଣରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିବାର ଆଶଙ୍କା ରହିଥିବା ସେ କହିଛନ୍ତି। ଏନେଇ କରୋନା ସଂକ୍ରମଣ ରୋକିବା କ୍ଷେତ୍ରରେ ଚାଇନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଝୋଙ୍ଗ୍ ନାନ୍ଶାନ୍ ସୂଚନା ଦେଇଛନ୍ତି। ଏବେ ଦେଶରେ ସ୍ବାଭାବିକ ସ୍ଥିତି ଫେରିବାରେ ଲାଗିଛି। କିନ୍ତୁ ବହୁ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଥିବାରୁ କରୋନା ସଂକ୍ରମଣ ସେମାନଙ୍କୁ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଦେଶରେ ନୂଆ କରୋନା ସଂକ୍ରମଣ ଘଟଣା ଘଟୁ ନ ଥିଲେ ମଧ୍ୟ ସ୍ବାସ୍ଥ୍ୟ ଅଧିକାରୀମାନେ କରୋନା ପ୍ରତି ସତର୍କ ରହିବାର ଆବଶ୍ୟକତା ରହିଥିବା ଝୋଙ୍ଗ୍ କହିଛନ୍ତି।