Advertisement

ଚାଇନାକୁ ଫେରିଲା କରୋନା: ଶୁଲାନ ସହର ଲକ୍‌ଡାଉନ

ବେଜିଂ,୧୧।୫: ଚାଇନାକୁ ପୁଣି ଫେରିଛି କରୋନା। ରୁଷ ସୀମା ନିକଟରେ ଅବସ୍ଥିତ ଜିଲିନ ଅଞ୍ଚଳରେ ଥିବା ଶୁଲାନ ସହରରେ ୧୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ପରେ କାଳ ବିଳମ୍ବ ନ କରି ସରକାର ଶୁଲାନ ସହରକୁ ଲକ୍‌ଡାଉନ ଘୋଷଣା କରିଛନ୍ତି। ତେବେ ଏହି ସଂକ୍ରମଣ କେତେଦୂର ପର୍ଯ୍ୟନ୍ତ ବ୍ୟାପିଛି ତାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି। ସହରରେ ଥିବା ଏକ ଲଣ୍ଡ୍ରି ଦୋକାନରୁ ଏହା ବ୍ୟାପିଛି ବୋଲି କୁହାଯାଉଛି। ୪୫ ବର୍ଷୀୟ ଜଣେ ମହିଳାଙ୍କ ଲଣ୍ଡ୍ରିରେ ଲୁଗା ସଫା କରାଇଥିବା ଅଧିକାଂଶ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ମହିଳାଙ୍କ ସ୍ବାମୀ, ଭଉଣୀ ଓ ପରିବାରର ଆଉ କେତେଜଣ ସଦସ୍ୟ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ମହିଳାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନ ଥିବା ବେଳେ ସେ କେମିତି ସଂକ୍ରମିତ ହେଲେ ତାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି। ତେବେ ସେହି ଅଞ୍ଚଳରେ ଥିବା ସର୍ବସାଧାରଣ ସ୍ଥାନକୁ ତୁରନ୍ତ ବନ୍ଦ କରାଯିବା ସହ ସହରକୁ ହଟ୍‌ସ୍ପଟ୍‌ ଘୋଷଣା କରାଯାଇ ଲକ୍‌ଡାଉନ କରାଯାଇଛି। ଏହି ସହର ରୁଷ ଓ ନର୍ଥ କୋରିଆ ସୀମାକୁ ଲାଗି ରହିଥିବାରୁ ସେଠାରୁ କେହି ମହିଳାଙ୍କ ସହ ମିଶିଛନ୍ତି କି ନାହିଁ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଛି। ସମସ୍ତ ପବ୍ଲିକ୍‌ ଟ୍ରାନ୍ସପୋର୍ଟକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଏହାସହ ଲୋକମାନଙ୍କୁ ଘରେ ରହିବାକୁ କୁହାଯାଉଛି। ରୁଷରୁ ସଂକ୍ରମଣ ଆସିବା ଆଶଙ୍କା କରାଯାଉଛି। କାରଣ କିଛିଦିନ ତଳେ ଆସିଥିବା ସରକାରୀ ତଥ୍ୟ ଅନୁଯାୟୀ, ରୁଷରୁ ପ୍ରାୟ ୩୦୮ଜଣ ଚାଇନା ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଜଣ ଫେରାର ଅଛନ୍ତି ଓ ୩୦୦ଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି । ଚାଇନାର ସୋସିଆଲ ମିଡିଆରେ ଶୋଲାନ ସହର ଲକ୍‌ଡାଉନ ଟ୍ରେଣ୍ଡ ଚାଲିଥିବା ବେଳେ କେହି କେହି କରୋନା ଫେରିଲା ବୋଲି ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share