Categories: ଜାତୀୟ

ଚାଇନାକୁ ବାୟୁସେନା ମୁଖ୍ୟଙ୍କ ସତର୍କବାଣୀ ‘ଯେକୌଣସି ପରିସ୍ଥିତି ଲାଗି ଆମେ ପ୍ରସ୍ତୁତ’

ହାଇଦ୍ରାବାଦ, ୨୦ା୬: ଲଦାଖର ଗଲଓ୍ବାନ୍‌ ଉପତ୍ୟକାରେ ଭାରତ ଓ ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଏହାକୁ ନେଇ ପରିସ୍ଥିତି ଉଷ୍ମ ରହିଥିବାବେଳେ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ଆମେ ପ୍ରସ୍ତୁତ ବୋଲି ଏୟାର ଚିଫ୍‌ ମାର୍ଶାଲ ଆର୍‌କେଏସ୍‌ ଭଦୌରିଆ ଶନିବାର ଚାଇନାକୁ ଚେତାବାନୀ ଦେଇ କହିଛନ୍ତି। ଡୁଣ୍ଡଗାଲସ୍ଥିତ ଏୟାର ଫୋର୍ସ ଏକାଡେମିର ସଂଯୁକ୍ତ ସ୍ନାତକ ପରେଡ୍‌ରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ଗଲଓ୍ବାନରେ ଆମ ଯବାନ୍‌ଙ୍କ ପ୍ରାଣହାନି ଘଟିବା ଆମକୁ ମର୍ମାହତ କରିଛି। ପ୍ରତିଜବାବ ଦେବା ଲାଗି ବାୟୁସେନା ପୂର୍ଣ୍ଣ ପ୍ରସ୍ତୁତ ରହିଛି। ବୀର ଯବାନଙ୍କ ବଳିଦାନ ବେକାର ଯିବନି, ଯେକୌଣସି ସ୍ତରରେ ବାୟୁସେନା ଜବାବ ଦେବା ଲାଗି ସକ୍ଷମ ବୋଲି ଭଦୌରିଆ କହିଛନ୍ତି।
ଦେଶର ସୁରକ୍ଷା ଲାଗି ସେନା ସର୍ବଦା ସଜାଗ ରହିଛି। ନିର୍ଦ୍ଦେଶ ମିଳିଲେ ଆମେ ପ୍ରତିଟି ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିଛୁ। ଚୁକ୍ତି କରାଯିବା ଓ ସେନା ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଚାଲିଥିବାବେଳେ ଚାଇନା ସେନାର ଏଭଳି ଆଭିମୁଖ୍ୟ କେବେହେଲେ ଗ୍ରହଣଯୋଗ୍ୟ ନୁହେଁ। ଶାନ୍ତିରେ ସବୁ ସମସ୍ୟାର ସମାଧାନ କରାଯିବା ଉଚିତ। ଯବାନଙ୍କ ବଳିଦାନ ଦର୍ଶାଇଛି ଯେ, ଦେଶର ସାର୍ବଭୌମତ୍ୱ ରକ୍ଷା ଲାଗି ଆମେ ଯେକୌଣସି ସ୍ତରକୁ ଯାଇପାରିବୁ ବୋଲି ଭଦୌରିଆ ପ୍ରକାଶ କରିଛନ୍ତି।

Share